ନବୀନ ନମ୍ବର ୱାନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପୁଣିଥରେ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ପ୍ରମାଣିତ ହୋଇଛନ୍ତି ନବୀନ ପଟ୍ଟନାୟକ। ଏବିପି ନ୍ୟୁଜ୍ ପକ୍ଷରୁ ସି-ଭୋଟର କରିଥିବା ସର୍ଭେ ରିପୋର୍ଟ ଆଧାରରେ ସାରା ଦେଶରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନମ୍ବର ୱାନ ନେତା। ମୋଟ ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିବାବେଳେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ମଣ୍ଡନ କରିଛନ୍ତି ନବୀନ। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ  ଓଡ଼ିଶାର ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିବା ସର୍ଭେରୁ ଜଣାପଡ଼ିଛି।
ମୋଟ୍ ୩୧ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ଶ୍ରେଷ୍ଠ ୧୦ଙ୍କୁ ଏହି ସର୍ଭେରେ ବଛାଯାଇଛି। ପ୍ରଥମ ସ୍ଥାନରେ ନବୀନ ପଟ୍ଟନାୟକ ରହିଥିବାବେଳେ ଦ୍ୱିତୀୟ ଏବଂ ତୃତୀୟସ୍ଥାନରେ ଯଥାକ୍ରମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡି ରହିଛନ୍ତି। ସେହିଭଳି ତାଲିକାର ଚତୁର୍ଥ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି ଭିଜୟାନ୍, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଷ୍ଟମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାଣ, ନବମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ ଦଶମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଅଛନ୍ତି।

ସର୍ଭେରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ୫ ମୁଖ୍ୟମନ୍ତ୍ରୀଙ୍କର ନାମ ମଧ୍ୟ ପ୍ରକାଶ ପାଇଛି। ତାଲିକାର ୧ ନମ୍ବରରେ ରହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ। ତାଙ୍କ ପଛକୁ ରହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ। ୪ର୍ଥ ଏବଂ ୫ମ ସ୍ଥାନରେ ଯଥାକ୍ରମେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ ରହିଛନ୍ତି।
ସେହିଭଳି କେନ୍ଦ୍ର ଶାସନରେ ଥିବା ମୋଦୀ ସରକାର ଉପରେ ଦେଶବାସୀ କେତେ ଖୁସି ତାହା ମଧ୍ୟ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ ଓଡ଼ିଶାର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଉପରେ ସବୁଠୁ ଅଧିକ ଖୁସି।  ଓଡ଼ିଶାରେ ମୋଦୀଙ୍କୁ ୯୧% ଲୋକେ ପସନ୍ଦ କରିଥିବା ବେଳେ ପଞ୍ଚାବରେ ୬୪% ପ୍ରତିଶତ ଲୋକ ତାଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୁଷ୍ଟ ଥିବା ସର୍ଭେରୁ ଜଣାପଡ଼ିଛି। ଏପରିକି ଅନେକ ବିଜେପି ଶାସିତ ରାଜ୍ୟରେ, ଲୋକେ ସେଠାକାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଥିବାବେଳେ ମୋଦୀଙ୍କ ଉପରେ ଆସ୍ଥା ରଖିଥିବା ଏଥିରୁ ସ୍ପଷ୍ଟହୋଇଛି।