ଧାମନଗର ଉପନିର୍ବାଚନ: ଭୋଟିଂ ଜାରି

ଭଦ୍ରକ,ଏନ୍ଏନ୍ଏସ୍: ଆଜି ଧାମନଗର ଉପନିର୍ବାଚନ । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ସ୍ଥାନରେ କାହାର ହେବ ଧାମନଗର ? କିଏ ମାରିବ ବାଜି ? ଏଥିପାଇଁ ଆଜି ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ସକାଳୁ ମକ୍ ପୋଲିଂ ପରେ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ମତଦାନ ଚାଲିବ । ଏଥିପାଇଁ ଭୋଟରମାନେ ମଧ୍ୟ ବୁଥ ଆଗରେ ଲାଇନ ଲଗାଇବା ଆରମ୍ଭ କଲେଣି । ସମୁଦାୟ ୨୫୨ଟି ବୁଥରେ ଭୋଟଗ୍ରହଣ ହେଉଛି । ୧୧୦ଟି ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଧାମନଗର ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୮ ହଜାର ୪୧୭ ଭୋଟର ସେମାନଙ୍କ ମତସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧ ଲକ୍ଷ ୩ହଜାର ୩୮ ପୁରୁଷ ଭୋଟର ଓ ୧ ଲକ୍ଷ ୧୫ ହଜାର ୩୪୬ ମହିଳା ଭୋଟର ଅଛନ୍ତି । ୧୫ଟି ମଡେଲ ବୁଥ ଓ ୫ଟି ପିଙ୍କ୍ ବୁଥରେ ମତଦାତା ମତଦାନ ସାବ୍ୟସ୍ତ କରିବେ । ଭୋଟର ପରିଚୟ ପତ୍ର ବ୍ୟତୀତ ୧୨ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ମଧ୍ୟ ଭୋଟ୍ ଦେଇ ପାରିବେ ।

ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବିଜେପି ପକ୍ଷରୁ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବାବା ହରେକୃଷ୍ଣ ସେଠୀ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ସ୍ବାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ପୂର୍ବତନ ବିଜେଡି ବିଧାୟକ ରାଜେନ୍ଦ୍ର ଦାସ ।