ବ୍ରଜରାଜନଗର ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ, ସନ୍ଧ୍ୟା ସୁଦ୍ଧା ଆସିବ ଫଳାଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ପାଇଁ ଗତମାସ ୩୧ ତାରିଖରେ ହୋଇଥିବା ମତଦାନର ଗଣତି ଆଜି ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇଯାଇଛି। ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି। ମତଦାନ ଗଣତି କେନ୍ଦ୍ର ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଭୋଟଗଣତି ଶେଷ ହୋଇଯିବା ସହିତ ବ୍ରଜାରାଜନଗରକୁ ନୂଆ ବିଧାୟକ ମିଳିଯିବ।

ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ପୂର୍ବରୁ କହିଛନ୍ତି ଯେ, ପ୍ରଥମେ ପୋଷ୍ଟାଲ ବାଲଟ ଗଣାଯିବ। ଏହାର ୩୦ ମିନିଟ ପରେ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଥିବା ଇଭିଏମ୍‌ଗୁଡ଼ିକ ଖୋଲାଯାଇ ଗଣତି କରାଯିବ। ମୋଟ ୨୦ଟି ରାଉଣ୍ଡରେ ଭୋଟ ଗଣତି ହେଉଛି। ଏଥି ପାଇଁ ଗୁରୁବାର ସନ୍ଧ୍ୟା ସୁଦ୍ଧା ପ୍ରସ୍ତୁତି ଶେଷ ହୋଇଯାଇଥିଲା।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କହିଥିଲେ ଯେ, ଭୋଟ ଗଣତି ପାଇଁ ୨୦ ଜଣ ମାଇକ୍ରୋ ଅଭଜରଭର, ୨୦ ଜଣ କାଉଣ୍ଟି ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟକୁ ନିୟୋଜିତ କରାଯାଇଛି। ସୂଚନାଯୋଗ୍ୟ, ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହେବା ପରେ ଗତ ମେ’ ମାସ ୩୧ ତାରିଖରେ ବ୍ରଜରାଜନଗରରେ ଉପନିର୍ବାଚନ ହୋଇଥିଲା। ୭୧.୯୦ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଲକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସର ପାର୍ଥୀ କିଶୋର ପଟେଲଙ୍କ ମଧ୍ୟରେ ଅସଲ ପ୍ରତିଦ୍ୱନ୍ଦ୍ୱିତା ହୋଇପାରେ।