ପୋଖରୀରୁ ମିଳିଲା ଭୋଟବାକ୍ସ

ଶରଣକୁଳ,ଏନ୍ଏନ୍ଏସ୍: ରଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶରଣକୁଳ ନିକଟସ୍ଥ ବାଉଁଶିଆ-ଗୋତିସାହି ପୋଖରୀରୁ ଦୁଇଟି ଭୋଟ୍ ବାକ୍ସ ମିଳିଛି। ମାଛ ଧରିବା ପାଇଁ କିଛିଲୋକ ଜାଲ ପକାଇବା ବେଳେ ଜାଲରେ ବାକ୍ସ ଲାଗିଥିଲା। ଏହି ବାକ୍ସରେ କଳଙ୍କି ଲାଗିଯାଇଛି। ଏହା ବହୁ ବର୍ଷ ହେବ ପଡ଼ିଥିବା ଅନୁମାନ କରାଯାଉଛି। ବାକ୍ସ ଉପରେ ଓଏସଇସି ଲେଖାଯାଇଛି। ସାଧାରଣତଃ ଭୋଟ ବାକ୍ସକୁ କଡ଼ା କଟକଣା ମଧ୍ୟରେ ନିଆଯାଇଥାଏ। ନେବାବେଳେ ଓ ଦାଖଲ ବେଳେ ହିସାବ କରାଯାଇଥାଏ। ଏତେ କଟକଣା ଭିତରେ ଏହା ପୋଖରୀକୁ ଆସିଲା କେମିତି? ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ହଜିଥିବା ବାକ୍ସ ସମ୍ପର୍କରେ କିଛି ଜାଣିଛି କି ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ପ୍ରକାଶ ଯେ, ଗୋତିସାହି ଗ୍ରାମର କିଛି ଲୋକ ବୁଧବାର ସକାଳେ ସେହି ପୋଖରୀରୁ ମାଛଧରିବା ପାଇଁ ବଡ଼ଜାଲ ପକାଇଥିଲେ। ଜାଲ ଟାଣିବାବେଳେ ମାଛ ସହିତ ଝୋଟ ଅଖାବସ୍ତା ଢାଙ୍କି ହୋଇଥିବା ଦୁଇଟି ଖାଲି ଭୋଟବାକ୍ସ ଜାଲରେ ଆସିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଆଖପାଖ ଗ୍ରାମର ଶତାଧିକ ଲୋକ ଭୋଟବାକ୍ସ ଦେଖିବାପାଇଁ ପୋଖରୀ ନିକଟରେ ରୁଣ୍ଡ ହୋଇଯାଇଥିଲେ। କୌଣସି ସୁତ୍ରରୁ ଖବରପାଇ ଶରଣକୁଳ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ବାକ୍ସ ଦୁଇଟିକୁ ଜବତ୍ କରି ଥାନାକୁ ଆଣିଥିଲେ। ତେବେ କେଉଁ ପରିସ୍ଥିତିରେ ଭୋଟବାକ୍ସ ଦୁଇଟିକୁ ପୋଖରୀ ଭିତରକୁ କିଏ ପକାଇଛି ଓ ଆଜିପର୍ଯ୍ୟନ୍ତ ବାକ୍ସ ଦୁଇଟିର ଖୋଜ ଖବର ଜିଲ୍ଲା ପ୍ରଶାସନ ନିକଟରେ ଅଛି କି ନାହିଁ ତାହା ସଧାରଣରେ ସନ୍ଦେହ ସୃଷ୍ଟିକରିଛି। ସାଧାରଣତଃ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାପରିଷଦ, ସମିିତିସଭ୍ୟ, ସରପଞ୍ଚ ଓ ୱାର୍ଡମେମ୍ବର ଭୋଟବେଳେ ଏହି ଭୋଟବାକ୍ସ ବ୍ୟବହାର କରାଯାଇଥାଏ। ଜିଲ୍ଲା ନିର୍ବାଚନ ଅଧିକାରୀ ପଞ୍ଚାୟତ ୱାରୀ ସମସ୍ତ ବୁଥ୍କୁ ଭୋଟବାକ୍ସ ଓ ବାଲାଟ୍ ପେପର ପଠାଇଥାନ୍ତି। ବୁଥ୍ ଲେବୁଲ୍ ଅଫିସରମାନେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପଠାଯାଇଥିବା ଗାଡ଼ିରେ ବୁଥ୍ କେନ୍ଦ୍ରରେ ପହଞ୍ôଚ ଭୋଟିଂ କାର୍ଯ୍ୟ କରିଥାନ୍ତି। ନିର୍ବାଚନ ପରେ ବାଲାଟ୍ ପେପର ଗଣତି କରାଯାଇ ପୁନର୍ବାର ନିର୍ବାଚନ ଅଧିକାରୀଙ୍କୁ କଡ଼ାସୁରକ୍ଷା ମଧ୍ୟରେ ଭୋଟବାକ୍ସ ଓ ସମସ୍ତ କାଗଜପତ୍ର ଫେରାଇଥାନ୍ତି। ଏପରିସ୍ଥଳେ ପୋଖରୀ ଭିତରୁ ଓ ଏସଇସି ଲେଖାଥିବା ଦୁଇଟି ଖାଲି ଭୋଟବାକ୍ସ ବାହାରିବା ସାଧାରଣରେ ସନ୍ଦେହ ସୃଷ୍ଟିକରିବା ସହିତ ନିର୍ବାଚନର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।