ଭିଏଲ୍‌ଡବ୍ଲ୍ୟୁ ମାଡ଼ରେ ୱାର୍ଡ଼ ସଭ୍ୟ ଆହାତ

ନୟାଗଡ଼,ଏନ୍‌ଏନ୍‌ଏସ୍: ପାଣି ସମସ୍ୟା ନେଇ ଅଭିଯୋଗ କରିବାକୁ ଯାଇଥିବା ୱାର୍ଡ଼ ସଭ୍ୟଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ଭିଏଲ୍‌ଡବ୍ଲ୍ୟୁ) ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ପଞ୍ଚାୟତ ନିର୍ବାହ ଅଧିକାରୀ କାର୍ଯ୍ୟାଳୟରେ ମଦ୍ୟପାନ କରିବା ସହ ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଘଟଣା ସାମନାକୁ ଆସିଛି। ସୂଚନାନୁସାରେ, ନୂଆଗାଁ ବ୍ଲକ ଗାତେରୀ ପଞ୍ଚାୟତ ୧୨ ନଂ ୱାର୍ଡ଼ ବାସିନ୍ଦା ଆଜିକୁ ୨୨ ଦିନ ହେବ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି।

ୱାର୍ଡ଼ରେ ଥିବା ନଳକୂପ ଅଚଳ ହୋଇପଡ଼ିବା କାରଣରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଯାହାକୁ ନେଇ ୱାର୍ଡ଼ବାସୀଙ୍କ ନିଷ୍ପତ୍ତି କ୍ରମେ ୱାର୍ଡ଼ସଭ୍ୟ ଲଡୁ ମୁଦୁଲି, ବୈକୁଣ୍ଠ ମୁଦୁଲି, ଭଗବାନ ମୁଦୁଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ। ଗତକାଲି ୪ଟା ବେଳକୁ ଏହି ବ୍ୟକ୍ତିମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ବେଳକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିମ୍ବାଧର ନାୟକ କାର୍ଯ୍ୟାଳୟରେ ବସି ମଦ୍ୟପାନ କରୁଥିଲେ। ପାଣି ସମସ୍ୟା ସମ୍ପର୍କରେ ୱାର୍ଡ଼ ସଭ୍ୟ ଏବଂ ଅନ୍ୟମାନେ ଦୁଇପଦ କଥା ହେବାକୁ ଚାହିଁବାରୁ ନିର୍ବାହୀ ଅଧିକାରୀ ଆଜି କିଛି ହେବ ନାହିଁ କହି ୱାର୍ଡ଼ ସଭ୍ୟଙ୍କୁ ଧକ୍କା ପକାଇବା ସହ ହାତ ମୋଡ଼ି ଦେଇଥିବା ୱାର୍ଡ଼ବାସୀମାନେ ମହୀପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଏପରିକି ଧକ୍କା ଖାଇ ତଳେ ପଡ଼ିଯିବା କାରଣରୁ ଲଡ଼ୁ ମୁଦୁଲିଙ୍କ ହାତରେ ଆଘାତ ଲାଗିଥିବା ଜଣାଯାଇଛି। ସେ ଘଟଣାସ୍ଥଳରୁ ଫେରି ମହୀପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଆଜି ମହୀପୁର ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ଘଟଣାର ଛାନଭିନ୍ କରୁଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଏଭଳି କାଣ୍ଡକୁ ସବୁ ମହଲରୁ ନିନ୍ଦା କରାଯାଇଛି।

ଅନ୍ୟପଟେ ଏହି ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନାୟକ ଭିନ୍ନମତ ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଗତକାଲି ପଞ୍ଚାୟତରେ ଗଣ୍ଡଗୋଳକୁ ସ୍ୱୀକାର କରିଥିବା ବେଳେ ମାଡ଼ ମାରିବା ଘଟଣାକୁ ଅସ୍ୱୀକାର କରିଛନ୍ତି। ୱାର୍ଡ଼ ସଭ୍ୟ ପଞ୍ଚାୟତ କାର୍ଯ୍ୟାଳୟକୁ ମଦ୍ୟପାନ କରି ଆସି ଗାଳିଗୁଲଜ କରିଥିବା କହିଛନ୍ତି। ଏନେଇ ସେ ନୂଆଗାଁ ଥାନାରେ ଲିଖିତ ଏତଲା ମଧ୍ୟ ଦେଇଥିବା ସୂଚନା ଦେଇଛନ୍ତି। ଏନେଇ ନୂଆଗାଁ ଥାନା ଅଧିକାରୀ ମନୋରମା ମଲ୍ଲିକଙ୍କୁ ପଚାରିବାରେ, ଅଭିଯୋଗ ହୋଇଛି ଏବଂ ଏହାକୁ ଆପୋସ ସମାଧାନ କରାଯିବ ବୋଲି କହିଛନ୍ତି ।