ଚାନ୍ଦିପୁରରୁ ଭିଏଲ୍‌ଏସ୍‌ଆର୍‌ଏସଏମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର/ଚାନ୍ଦିପୁର,ଏନ୍ଏନ୍ଏସ୍: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଭୂ-ପୃଷ୍ଠରୁ ଭୂ-ପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଷ୍ଟାଟିକ୍ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ପ୍ରହାର (ଭିଏଲ୍‌ଏସ୍‌ଆର୍‌ଏସଏମ୍‌)ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ବେଳେ ଡ଼ିଆରଡ଼ିଓର ବରିଷ୍ଠ ବୈଜ୍ଞାନିକମାନେ ଲଞ୍ଚପ୍ୟାଡ଼ରେ ଉପସ୍ଥିତ ଥିଲେ।

ଆଜିର ଏହି ପରୀକ୍ଷଣ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଲଞ୍ଚପ୍ୟାଡ଼ରୁ ୭ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରାଯାଇଥିଲା। ସେହିପରି ୩ନଂ ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଗୁଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ସାହାଦାନଗରପାହି ଗାଁର ୬ ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୧ ମସିହା ଫେବ୍ରୁଆରି ୨୨ ତାରିଖରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା।

ପ୍ରହାର କ୍ଷେପଣାସ୍ତ୍ରର ଲମ୍ବ ୭.୩୨ ମିଟର ଥିବାବେଳେ, ଓଜନ ୧୨୮୦ କିଲୋଗ୍ରାମ ରହିଛି। ଏହା ୨୫୦ ସେକେଣ୍ଡ ମଧ୍ୟରେ ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତିକରି ୧୫୦ରୁ ୨୦୦ କିଲୋମିଟର ମଧ୍ୟରେ ଟାର୍ଗେଟକୁ ନଷ୍ଟ କରିବାର କ୍ଷମତା ରହିଛି। ପ୍ରହାର କ୍ଷେପଣାସ୍ତ୍ରରେ ୨୦୦ରୁ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ଭାରତ ଡ଼ାଇନାମିକ୍ ଲିମିଟେଡ଼ ଦ୍ବାରା ନିର୍ମିତ ପ୍ରହାର କ୍ଷେପଣାସ୍ତ୍ରକୁ କେନିଷ୍ଟରରୁ ଉତକ୍ଷେପଣ କରାଯିବା ସହିତ ଏହାକୁ ଟେଟ୍ରା ମୋବାଇଲ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇ ପାରିବ। ପ୍ରହରର ଟ୍ରାଜେକ୍ଟୋରୀକୁ ବିକଶିତ କରାଯାଇ ଆଜି ପରୀକ୍ଷା କରାଯାଉଥିବା ଜଣାପଡ଼ିଛି।