ଟିକା ଅଭାବ ଅପପ୍ରଚାରକୁ ଖଣ୍ଡନ କଲେ ଭି.କେ ପଲ୍

ନୂଆଦିଲ୍ଲୀ,ଏଜେନ୍ସି: ଟିକା ଅଭାବ ଯୋଗୁଁ ଡୋଜର ବ୍ୟବଧାନରେ ବୃଦ୍ଧି କରାଯାଇଥିବା ଅପପ୍ରଚାରକୁ ନୀତି ଆୟୋଗ ଅଧ୍ୟକ୍ଷ ଭି.କେ ପଲ ଖଣ୍ଡନ କରିଛନ୍ତି। ଦେଶରେ ଟିକା ଅଭାବ ଯୋଗୁଁ ନୁହେଁ ବରଂ ବିଜ୍ଞାନ ସମ୍ମତ କାରଣ ଯୋଗୁଁ କୋଭିସିଲ୍ଡ ଟିକାର ଦୁଇ ଡୋଜର ବ୍ୟବଧାନ ବୃଦ୍ଧି ପାଇଥିବା ପ୍ରକାଶ କରିଛନ୍ତି।

ଏଥିସହିତ ସେ କହିଛନ୍ତି କି ବ୍ୟବଧାନକୁ ନେଇ କୌଣସି ପ୍ରକାର ଅପପ୍ରଚାର ବୈଜ୍ଞାନିକଙ୍କ ପ୍ରତି ଅପମାନ। ନିକଟରେ କେନ୍ଦ୍ର ସରକାର କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ ୬ରୁ ୮ ସପ୍ତାହ ପରିବର୍ତ୍ତେ ୧୨ରୁ ୧୬ ସପ୍ତାହକୁ ବଢ଼ାଇଥିଲେ। ଏହା ପରେ ଦେଶରେ ଅନେକ ରାଜନୈତିକ ଦଳ ଟିକାର ଅଭାବ ନେଇ କେନ୍ଦ୍ରକୁ ସମାଲୋଚନ କରିଥିଲେ। ଏହି ସମାଲୋଚନା ପରିପ୍ରେକ୍ଷୀରେ ଏନେଇ ନୀତି ଆୟୋଗ ସଦସ୍ୟ ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ କହିଛନ୍ତି କି ଦେଶରେ କୋଭାକ୍ସିନ୍ ଟିକା ଉତ୍ପାଦନ ବୃଦ୍ଧି ନେଇ କେନ୍ଦ୍ର ସରକାର ଭାରତ ବାୟୋଟେକ୍ ସହ ମିଶି କାମ କରୁଛନ୍ତି। ଆରମ୍ଭରେ ମାସକୁ କୋଟିଏ ଟିକା ଉତ୍ପାଦନ ହେଉଥିଲା, ଏବେ ତାହା ଦେଢ଼ କୋଟି ହେଉଛି। ଆଗକୁ ମାସକୁ ୧୦ରୁ ୧୩ କୋଟି ପର୍ଯ୍ୟନ୍ତ କୋଭାକ୍ସିନ୍ ଉତ୍ପାଦନକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ଥିବା ନେଇ ଭି.କେ. ପଲ୍ ସୂଚନା ଦେଇଛନ୍ତି।