ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଶିକ୍ଷକ ନିଯୁକ୍ତି ଦାବିରେଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ କୁସମେଲ ଗ୍ରାମବାସୀ ଓ ଅଭିଭାବକ ଗୁରୁବାର କୁସମେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ। ସୂଚନା ଅନୁଯାୟୀ ବିଦ୍ୟାଳୟରେ ମୋଟ ୭ଟି ଶ୍ରେଣୀ ଥିବାବେଳେ ବିଦ୍ୟାଳୟରେ ୩ଜଣ ଶିକ୍ଷକ ଅଛନ୍ତି।

ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାନେଇ ଅନେକବାର ଅଭିଯୋଗ ହୋଇଥିଲେ ହେଁ ଏଥିପ୍ରତି କେହି କର୍ଣ୍ଣପାତ କରିନଥିଲେ। ଫଳରେ ଆଜି ଗ୍ରାମବାସୀ ଓ ଅଭିଭାବକ ଆଜି ବାଧ୍ୟହୋଇ ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ। ଖବରପାଇ ଗୋଷ୍ଠୀ ସହକାରୀ ଶିକ୍ଷାଧିକାରୀ ଅଭିନ ରାଉତ ବିଦ୍ୟାଳୟକୁ ପହଞ୍ଚି ଆସନ୍ତା ୨୦ ତାରିଖ ସୁଦ୍ଧା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଧାରଣାରୁ ଓହରିଥିଲେ।