ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଡୁଡୁଗା ଗ୍ରାମରୁ ସାଗରପାଲି ଦେଇ ଠେବରା ଗ୍ରାମକୁ ତିଆରି ହେଉଥିବା ରାସ୍ତାକୁ ଠିକାଦାର ଅତି ନିମ୍ନ ମାନର କରୁଥିବା ସାଗରପାଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆଜି ଗ୍ରାମବାସୀମାନେ ରାସ୍ତା ନିର୍ମାଣ କାର୍ଯ୍ୟକୁ ରୋକିବା ସହ ଠିକାଦାର ଏବଂ ଆରଡ଼ି ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଡକାଇ ନିର୍ମାଣ ହେଉଥିବା ରାସ୍ତାର ଅବସ୍ଥା ଦେଖାଇଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ଏହି ରାସ୍ତାଟି ୩କୋଟି ୯୯ଲକ୍ଷ ୯୯ହଜାର ୩୬୩ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେଉଛି। ହେଲେ ସରକାରଙ୍କ ଟଙ୍କାକୁ ଚଳୁ କରିବା ପାଇଁ ଠିକାଦାର ଯୋଜନା କରି କାର୍ଯ୍ୟକୁ ଅତି ନିମ୍ନ ମାନର କରୁଛନ୍ତି। ଫଳରେ ନିର୍ମାଣର ମାତ୍ର କେଇଟା ଦିନରେ ରିଟେନିଙ୍ଗ ୱାଲରେ ଫାଟ ଦେଖାଦେଲାଣି। ସେହିପରି ରାସ୍ତାରେ ପକାଯାଉଥିବା ମେଟାଲ ମଧ୍ୟ ନିମ୍ନ ମାନର ରହିଛି। ଏହାସହ ମେଟାଲିଙ୍ଗ ଏବଂ ରୋଲିଙ୍ଗ କାର୍ଯ୍ୟ ମଧ୍ୟ ଠିକ ଭାବରେ କାରାଯାଉ ନାହିଁ। ଫଳରେ ରାସ୍ତାଟି ଦବି ଯିବାର ଆଶଙ୍କା ରହିଛି। ତେଣୁ ଏହି କାର୍ଯ୍ୟର ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ରାସ୍ତାଟିକୁ ସଠିକ ଭାବରେ ତିଆରି କରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି। ଅନ୍ୟପଟେ କାର୍ଯ୍ୟ ତଦାରଖ ପାଇଁ ଯାଇଥିବା ଆରଡ଼ି ବିଭାଗର କନିଷ୍ଠ ଯନ୍ତ୍ରୀ(ଜେଇ) ଦେବାନନ୍ଦ ମହନ୍ତଙ୍କୁ ପଚାରିବାରୁ ରିଟେନିଙ୍ଗ ୱାଲରେ ଏକ୍ସପାନସନ ଗ୍ୟାପ ଦିଆଯାଇ ନଥିବାରୁ ଏଥିରେ ଫାଟ ସୃଷ୍ଟି ହୋଇଛି ବୋଲି କହିଛନ୍ତି। ସେହପରି ବର୍ଷା ଯୋଗୁ ରାସ୍ତାର ନିର୍ମାଣ କାର୍ଯ୍ୟ ମଧ୍ୟ ସାମାନ୍ୟ ଖରାପ ହୋଇଛି। ହେଲେ ସମସ୍ତ କାର୍ଯ୍ୟକୁ ସଠିକ ଭାବରେ କରିବା ପାଇଁ ସେ ଠିକାଦାରକୁ ନିର୍ଦ୍ଦେଶ ଦେଇଥିବା ଶ୍ରୀ ମହନ୍ତ ପ୍ରକାଶ କରିଛନ୍ତି।