ବିହାର ବିଧାନସଭାର ବାଚସ୍ପତି ପଦ ସମ୍ଭାଳିଲେ ବିଜୟ ସିହ୍ନା

ପାଟନା: ବିହାର ବିଧାନସଭାର ବାଚସ୍ପତି ପଦ ଲାଗି ହୋଇଥିବା ନିର୍ବାଚନରେ ବିଜେପି ନେତା ବିଜୟ ସିହ୍ନା ନିର୍ବାଚିତ ହୋଇଛନ୍ତି। ବିଜୟଙ୍କ ବିପକ୍ଷରେ ମହାମେଣ୍ଟ ପ୍ରାର୍ଥୀ ଅବଧ ବିହାରୀ ଚୌଧୁରୀ ମଇଦାନକୁ ଓହ୍ଲାଇଥିଲେ। ସଦନରେ ହୋଇଥିବା ହଙ୍ଗାମା ପରେ ୨୪୦ ଜଣ ସଦସ୍ୟ ଭୋଟ ଦେଇଥିଲେ। ସେଥିମଧ୍ୟରୁ ବିଜୟଙ୍କୁ ୧୨୬ ଭୋଟ ମିଳିଥିବାବେଳେ ଅବଧଙ୍କୁ ୧୧୪ଟି ଭୋଟ୍ ମିଳିଛି।

ବିଜୟ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିପକ୍ଷ ଦଳ ନେତା ତେଜସ୍ୱୀ ଯାଦବ ତାଙ୍କୁ ତାଙ୍କ ଆସନରେ ବସାଇଥିଲେ। ପଦ ଗ୍ରହଣ କରିବା ପରେ ବିଜୟ ସଦନର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ।

ସୂଚନାଯୋଗ୍ୟ, ବିଜୟ ସିହ୍ନା ଲଖୀସରାୟରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି କଂଗ୍ରେସ ପ୍ରାର୍ଥୀ ଅମରେଶ କୁମାରଙ୍କୁ ହରାଇଥିଲେ। ନିର୍ବାଚନରେ ବିଜୟଙ୍କୁ ୭୪ ହଜାର ୨୧୨ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୬୩ ହଜାର ୭୨୯ ଭୋଟ ମିଳିଥିଲା।