୫ଟାରେ ତାମିଲନାଡ଼ୁ ଛୁଇଁବ ‘ନିବାର’ : ଏନଡିଆରଏଫର ୨୨ଟି ଟିମ୍ ପ୍ରସ୍ତୁତ

ନୂଆଦିଲ୍ଲୀ: ତାମିଲନାଡ଼ୁ, ପୁଡ଼ୁଚେରୀ ଓ ଆନ୍ଧ୍ରପ୍ରଦେଶର ତଟୀୟ କ୍ଷେତ୍ରରେ ‘ନିବାର’ ବାତ୍ୟାର ବିପଦ ଲାଗି ରହିଛି। ନିବାର ଆଜି ସଂଧ୍ୟାରେ ତାମିଲନାଡ଼ୁର କରାଇକାଲ ଓ ମହାବଳୀପୁରମ ଛୁଇଁବ। ଆଉ ମଧ୍ୟରାତ୍ରରେ କଳ୍ପାକମ ଓ ପୁଡ଼ୁଚେରୀ ପାଖରେ ଲ୍ୟାଣ୍ଡଫଲ କରିବ। ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଘଣ୍ଟାପ୍ରତି ୧୦୦ରୁ ୧୪୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଅନ୍ୟପଟେ ପୁଡ଼ୁଚେରୀରେ ଦ୍ରୁତ ଗତିରେ ପବନ ବହିବା ସହ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ଏନଡିଆରଏଫ୍ ତାମିଲନାଡ଼ୁ ପାଇଁ ୧୨, ପୁଡ଼ୁଚେରୀ ୩ ଓ ଆନ୍ଧ୍ରପ୍ରଦେଶ ଲାଗି ୭ଟି ଟିମ୍ ପ୍ରସ୍ତୁତ କରିଛି।

ସୂଚନାଯୋଗ୍ୟ, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ଓ ପୁଡ଼ୁଚେରୀରେ ଗୁରୁବାର ମଧ୍ୟ ଛୁଟି ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଲୋକଙ୍କୁ ଶାନ୍ତ ରହିବାକୁ, ଗୁଜବ ଉପରେ ବିଶ୍ୱାସ ନକରିବାକୁ, ମୋବାଇଲ ଫୋନ୍ ଚାର୍ଜ ରଖିବାକୁ, ରେଡିଓ ଶୁଣିବାକୁ ଓ କ୍ଷତିଗ୍ରସ୍ତ ଘରକୁ ପ୍ରବେଶ ନ କରିବାକୁ ସଚେତନ କରାଯାଇଛି।