ତୃତୀୟ ଦିନରେ ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ଚଢ଼ଉ

ମୁମ୍ବାଇ,ଏଜେନ୍ସି: ବଢିଲା ଅଭିନେତା ସୋନୁ ସୁଦଙ୍କ ଅଡୁଆ। ଲଗାତାର ତୃତୀୟ ଦିନ ପାଇଁ ସୋନୁଙ୍କ ଘରେ ଆୟକର ବିଭାଗ ଚଢ଼ଉ କରୁଛି। ଏହାସହିତ ସୋନୁ ସୁଦଙ୍କ ଛଅଟି ସମ୍ପତ୍ତିରେ ଚଢ଼ଉ ଜାରି ରହିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସୋନୁ ସୁଦଙ୍କ ଆୟ ଓ ଖର୍ଚ୍ଚ ବାବାଦରେ ଆୟକର ବିଭାଗ ଯାଞ୍ଚ କରୁଥିବା କୁହାଯାଉଛି। ଆୟକରରେ ହେରଫେର ହୋଇଥିବା ସୂଚନା ମିଳିଛି। ଏପରିକି ଆଇଟି ଟିମ୍ ସୋନୁ ସୁଦଙ୍କ ୪ଟି ଫାଉଣ୍ଡେସନର ଆକାଉଣ୍ଟ ମଧ୍ୟ ଯାଞ୍ଚ କରିପାରେ। ଏନେଇ ଖୁବଶୀଘ୍ର ଆୟକର ବିଭାଗ ସ୍ପଷ୍ଟ କରିପାରେ।

ଗତ ବୁଧବାର ଓ ଗୁରୁବାର ମଧ୍ୟ ସୋନୁଙ୍କ ଅଫିସ ଏବଂ ଘରେ ଆୟକର ବିଭାଗ ସର୍ଚ୍ଚ କରିଥିଲା। ସୋନୁଙ୍କ ମୁମ୍ବାଇସ୍ଥିତ ଘର ସହ ଅନ୍ୟ ୫ଟି ଘର ଓ କାର୍ଯ୍ୟାଳୟରେ ପହଞ୍ଚି ଖୋଳତାଡ କରିଥିଲା ଆଇଟି ଟିମ। ଆୟକର ବିଭାଗ ସୋନୁଙ୍କ ସମ୍ପତ୍ତିର ସର୍ଭେ କରିଛି। ଅଭିନେତାଙ୍କ ବ୍ୟାଙ୍କ ଆକାଉଣ୍ଟକରେ ଅର୍ଥ ହେରଫେର ଅଭିଯୋଗ ଆଧାରରେ ଆଇଟି ଟିମ ଏହି ସର୍ଭେ କରିଥିବା ସୂଚନା ମିଳିଛି।