ନୂଆଦିଲ୍ଲୀ, ଏଜେନ୍ସି: ଅଷ୍ଟ୍ରିଆରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ମଙ୍ଗଳବାରଠାରୁ ଅଷ୍ଟ୍ରିଆରେ ୨ୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହେଉଛି। ଲକଡାଉନର ପୂର୍ବ ସନ୍ଧ୍ୟାର ଲୋକେ ବୁଲାବୁଲି କରୁଥିବା ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କୀ ନିହତ ହୋଇଛି। ପୁଲିସ ସୂଚନା ଅନୁସାରେ, ଜନଗହଳିପୂର୍ଣ୍ଣ ସିଟି ସେଣ୍ଟରର ଏକ ଗଳିରେ ରାତି ୮ଟା ପରେ ଅଚାନକ ଫାୟାରିଂ ଆରମ୍ଭ ହୋଇଥିଲା। ଫାୟାରିଂ ସହରର ୬ଟି ସ୍ଥାନରେ ହୋଇଥିଲା। ଏହି ଘଟଣାରେ ଅନେକ ବନ୍ଧୁକଧାରୀ ସାମିଲ୍ ଥିଲେ ଏବଂ ଘଣ୍ଟାଘଣ୍ଟା ଧରି ପୁଲିସର ଅପରେସନ୍ ଜାରି ରହିଥିଲେ। ଏହାକୁ ଆଖି ଆଗରେ ରଖି ଲୋକଙ୍କୁ ବାହାର ଏବଂ ସାର୍ବଜନୀନ ସ୍ଥାନକୁ ଯିବାକୁ ମନା କରାଯାଇଛି। । ଫାୟାରିଂରେ କିଛି ଲୋକେ ଗୁରୁତର ଆହତ ହୋଇଛନ୍ତି, ଯେଉଁଥିରେ ଜଣେ ପୁଲିସକର୍ମୀ ମଧ୍ୟ ସାମିଲ୍ ଅଛନ୍ତି।