ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣନାମ ରାଜୁଙ୍କ ପରଲୋକ

ହାଇଦ୍ରାବାଦ,ଏଜେନ୍ସି: ତେଲୁଗୁ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କ୍ରିଷ୍ଣନାମ ରାଜୁଙ୍କ ଦେହାନ୍ତ ହୋଇଛି । ହାଇଦ୍ରାବାଦ ଏଆଇଜି ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । କ୍ରିଷ୍ଣନାମ ରାଜୁ ବାହୁବଳୀ ଅଭିନେତା ପ୍ରଭାସଙ୍କ ଦାଦା । କୋଭିଡ ପରବର୍ତ୍ତୀ ଅସୁସ୍ଥତା ନେଇ ଚିକିତ୍ସାଧୀନ ଥିଲେ କ୍ରିଷ୍ଣନାମ ରାଜୁ । ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଅଗଷ୍ଟ ୫ରୁ ସେ ହାଇଦ୍ରାବାଦ ଏଆଇଜି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କ ବିୟୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

କ୍ରିଷ୍ଣନାମ ରାଜୁ ଦୁଇ ଥର ଲୋକସଭା ସଦସ୍ୟ ରହିଛନ୍ତି । ଅଟଳ ବିହାରୀ ବାଜପେୟଙ୍କ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଥିଲେ । ରେବେଲ ଷ୍ଟାର ଭାବେ ଜଣାଶୁଣା କ୍ରିଷ୍ଣନାମ ରାଜୁ । ୧୮୦ରୁ ଅଧିକ ତେଲୁଗୁ ଚଳଚ୍ଚିତ୍ରରେ ସେ ଛାପ ଛାଡିଛନ୍ତି । ୧୯୬୬ରେ ତେଲୁଗୁ ଚଳଚ୍ଚିତ୍ର ‘ଚିଲାକା ଗୋରିଙ୍କା’ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଦମଦାର ଅଭିନୟ ପାଇଁ ଅନେକ ପୁରସ୍କାର ସାଉଁଟିଛନ୍ତି କ୍ରିଷ୍ଣନାମ ରାଜୁ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । କେସିଆର କହିଛନ୍ତି, ” ୫୦ ବର୍ଷ କ୍ୟାରିଅରରେ ଅନେକ ଚଳଚ୍ଚିତ୍ରରେ ହିରୋ ଭାବରେ ଅଭିନୟ କରିଛନ୍ତି କ୍ରିଷ୍ଣନାମ । ତାଙ୍କର ଅନନ୍ୟ ଅଭିନୟ ଶୈଳୀରେ ସମସ୍ତ ହୃଦୟ ଜିତିଥିବା କ୍ରିଷ୍ଣନାମ ରାଜୁଙ୍କ ବିୟୋଗ ତେଲୁଗୁ ରୁପେଲି ପରଦା ପାଇଁ ଅପୂରଣୀୟ କ୍ଷତି ।”

ସେ ଆହୁରି କହିଛନ୍ତି, ”କ୍ରିଷ୍ଣନାମ ଲୋକସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ଓ ରାଜନୈତିକ ପ୍ରଶାସକ ଭାବେ ଦେଶବାସୀଙ୍କ ସେବା କରିଛନ୍ତି । ସେହିପରି ତେଲେଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ ବନ୍ଦି କ୍ରିଷ୍ଣନାମ ରାଜୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । କ୍ରିଷ୍ଣନାମ ରାଜୁଙ୍କ ଦେହାନ୍ତ ଖବର ଦୁଃଖ ଦାୟକ । ଏହା ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି, ବିଜେପି ଓ ଲୋକଙ୍କ ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି ତେଲେଙ୍ଗାନା ବିଜେପି ମୁଖ୍ୟ ସଞ୍ଜୟ ବନ୍ଦି ।