ଅବପାତର ରୂପ ନେଲା ଲଘୁଚାପ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର,ଏନ୍ଏନ୍ଏସ୍: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଚି ଲଘୁଚାପ କ୍ଷେତ୍ର ଅବପାତର ରୂପ ନେଇଛି । ସଦୃଶ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି । ଅବପାତ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ । ଏହା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ସକ୍ରିୟ ସଦୃଶ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗି ରହିଛି । ଆଜି ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପଶ୍ଚିମ ଏବଂ ଉତ୍ତର କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ପାର୍ଶ୍ବବର୍ତ୍ତୀ ତଥା ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି । ତିନି ପ୍ରକାର ପାଣିପାଗ ପ୍ରଭାବରେ ଆଗାମୀ ୨୪ ଘଣ୍ଚାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ସକ୍ରିୟ ଲଘୁଚାପ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବାର ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଏହାର ପ୍ରଭାବରେ ନୟାଗଡ଼, ଗଞ୍ଜାମ,ଗଜପତି, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର ଓଡ଼ିଶାର ଉପକୂଳ ଅଞ୍ଚଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଭ୍ୟନ୍ତରୀଣ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତାକାଲି ମୁଖ୍ୟତଃ ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୩ ତାରିଖରେ ବର୍ଷାର ପରିମାଣ କମିପାରେ । ସେହିପରି ୧୪ ତାରିଖ ବେଳକୁ ବର୍ଷାର ପ୍ରଭାବ କମିବ । ଆସନ୍ତାକାଲି(ସୋମବାର) ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ପବନର ବେଗ ୪୫ରୁ ୫୫ ସର୍ବାଧିକ ୬୫ କିଲୋମିଟର ରହିବ । ଝଡ଼ ବର୍ଷା ସହ ପ୍ରବଳ ପବନ ବହିବ । ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ଠାରେ ସର୍ବାଧିକ ୧୧୭.୪ ମିମି ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ପାଖାପାଖି ୧୦.୭ ମିମି ବର୍ଷା ହୋଇଛି । ଯାହା ସ୍ବାଭାବିକ ବର୍ଷା ଠାରୁ ୨୬ ପ୍ରତିଶତ ଅଧିକ।