ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମହାନଦୀ ତଥା ଇବ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ଜଳ ଚାଷ ଜମିରେ ମାଡ଼ି ପନିପରିବା, ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଝାରସୁଗୁଡ଼ା ଜିଲ୍ଲାରେ ପରିବା ଦର ଏବେ ଆକାଶ ଛୁଆଁ ହୋଇଛି। ହଠାତ ପରିବା ଦର ବୃଦ୍ଧି ହୋଇ କିଲୋ ପ୍ରତି ଟମାଟର ୧୨୦, କେପସିକମ ୧୭୦, ଫୁଲକୋବି ୮୦, ବନ୍ଧାକୋବି ୮୦, କଲରା ୬୦, ବାଇଗଣ ୭୦, କାକୁଡ଼ି ୬୦, ଗାଜର ୧୦୦, ରସୁଣ ୨୦୦ ଓ ପୋଟଳ ୮୦ ଟଙ୍କାରେ ପହଞ୍ଚିଛି। ପରିବାର ଏପରି ବର୍ଦ୍ଧିତ ଦର ଶୁଣି ଗ୍ରାହକମାନେ କିଣିବା ପାଇଁ ପଛଘୁଞ୍ଚା ଦେଉଛନ୍ତି। ତେଣୁ ଖୁଚୁରା ଦୋକାନୀମାନେ ପରିବା ବିକ୍ରି କରିବା ପାଇଁ ଏକ ନୂତନ କୌଶଳ ଆରମ୍ଭ କରିଛନ୍ତି। ପୂର୍ବରୁ ଜିଲ୍ଲାର ସମସ୍ତ ହାଟବଜାର କେଜି ୧୫, କେଜି ୨୦ରେ ଫାଟି ପଡ଼ୁଥିବାବେଳେ ଏବେ ହାଟରେ କେବଳ ପା ୨୦, ପା ୩୦ର ଶଦ୍ଦ ଶୁଭୁଛି। ଖାଉଟୀ ମଧ୍ୟ କିଲେ କିଣିବାରେ ଅସମର୍ଥ ହୋଇ ୨୫୦ ଗ୍ରାମ, ୫୦୦ ଗ୍ରାମ ପନିପରିବା କିଣିବା ପାଇଁ ବାଧ୍ୟ ହେଉଛନ୍ତି । ଏବେ ଜିଲ୍ଲାରେ ପନିପରିବାର ଯୋଗାଣ କମ ଓ ଚାହିଦା ଅଧିକ ଥିବାରୁ ଦର ବୃଦ୍ଧି ହୋଇଛି ବୋଲି ଜଣେ ପରିବା ଦୋକାନୀ କହିଛନ୍ତି।