ଭେଡେନ ଟ୍ରିପଲ ମର୍ଡ଼ର ଘଟଣାର ପର୍ଦାଫାସ, ସମ୍ପତ୍ତି ଲୋଭରେ ହତ୍ୟା କରିଥିଲା ଭଣଜା

ବରଗଡ଼,ଏନ୍‌ଏନ୍‌ଏସ୍‌: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ଆଖିଫୁଟା ଗାଁରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାର ପର୍ଦାଫାସ କରିବାରେ ଭେଡେନ ପୁଲିସ ସଫଳ ହୋଇଛି । ହତ୍ୟାକାଣ୍ଡ ଭିଆଇଥିବା ମୃତ ଟଙ୍କଧରଙ୍କ ସମ୍ପର୍କୀୟ ଭଣଜା ସହ ୨ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଟୁନିଆମୁଣ୍ଡା ଗାଁର ବାସୁଦେବ ଓରଫ ଅନାମ ସାହୁ ଓ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ଲୋଦା ଗାଁର ଶ୍ରବଣ ରଣା । ତେବେ ମୁଖ୍ୟ ଅଭିଯୁକ୍ତ ବାସୁଦେବ ମୃତ ଟଙ୍କଧରଙ୍କ ସମ୍ପର୍କୀୟ ଭଣଜା ଏବଂ ତାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ ବୋଲି ଘରେ ରଖିଥିଲେ । ମାତ୍ର ଅଭିଯୁକ୍ତ ବାସୁଦେବ ନିଶା କରିବା ସହ ବିଭିନ୍ନ ସମୟରେ ଘରୁ ଚୋରି କରୁଥିବା ଜାଣି ଟଙ୍କଧର ତାକୁ ଘରୁ ତଡ଼ି ଦେଇଥିଲେ । ଏପରିକି ଅଭିଯୁକ୍ତ ତାଙ୍କର ଗୋଟିଏ ସ୍କୁଟି ଓ ୩୦ ହଜାର ଟଙ୍କା ନେଇ ଫେରାର ଥିବାବେଳେ ଛତିଶଗଡ଼ ପୁଲିସ ଦ୍ୱାରା ଧରା ପଡ଼ିଥିଲା । ଏନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତ ବାସୁଦେବ ଗତ ଏପ୍ରିଲ ୧୭ ତାରିଖରେ ତାମିଲନାଡୁରୁ ଟ୍ରେନରେ ବରଗଡ଼ ଆସି ରାତି ପ୍ରାୟ ୪ଟା ସମୟରେ ଟଙ୍କଧରଙ୍କ ଘର ପଛପଟୁ ଭିତରକୁ ପ୍ରବେଶ କରିଥିଲା । ପ୍ରଥମେ ଟଙ୍କଧରଙ୍କୁ ଶୋଇଥିବା ଅବସ୍ଥାରେ ଏକ କାଠ ପିଣ୍ଡାରେ ଆକ୍ରମଣ କରିଥିବାବେଳେ କୋଦାଳରେ ତାଙ୍କର ୨ ପତ୍ନୀଙ୍କୁ ଆକ୍ରମଣ କରିଥିଲା । ଫଳରେ ଅତ୍ୟଧିକ ରକ୍ତସ୍ରାବ ହେବା ଯୋଗୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ପରେ ବାସୁଦେବ ବାକ୍ସ ଭାଙ୍ଗି ସୁନା ନେଇ ଗ୍ରାମରୁ ଫେରାର ହୋଇ ଯାଇଥିଲା । ତେବେ ଗତକାଲି ଭେଡେନ ପୁଲିସ ଛତିଶଗଡ଼ରୁ ବାସୁଦେବକୁ ଗିରଫ କରିବା ପରେ ତା’ଠାରୁ ସୁନା କିଣିବା ଅଭିଯୋଗରେ ଶ୍ରବଣ ରଣାକୁ ମଧ୍ୟ ଗିରଫ କରି ଚୋରି ସୁନା ଉଦ୍ଧାର କରିଛି ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୮ ତାରିଖରେ ଆଖିଫୁଟା ଗାଁର ଟଙ୍କଧର ସାହୁ ଏବଂ ତାଙ୍କର ୨ଜଣ ସ୍ତ୍ରୀ ଦ୍ରୋପଦୀ ସାହୁ ଓ ମାଧବୀ ସାହୁଙ୍କ ରକ୍ତାକ୍ତ ମୃତଦେହ ତାଙ୍କ ଘରେ ପଡ଼ି ରହିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ଭେଡେନ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିଲା । ମୃତ ୩ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ରହିଥିବାବେଳେ ସନ୍ଧାନୀ କୁକୁର ଦ୍ୱାରା ଘର ପଛପଟ କେନାଲରୁ ଏକ କୋଦାଳକୁ ଉଦ୍ଧାର କରାଯାଇଥିଲା । ପରେ ୩ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ପୁଲିସ ତଦନ୍ତ ଜାରି ରଖିଥିଲା । ତେବେ ଆଜି ଅଧିକ ତଦନ୍ତ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବରଗଡ଼ ଏସପି ପ୍ରହ୍ଲାଦ ସାଇନିମିନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।