ଓଲଟିଲା ବାହାଘର ଜିନିଷ ନେଇଯାଉଥିବା ଭ୍ୟାନ୍,୧୨ ଆହତ

ବୈପାରିଗୁଡ଼ା,ଏନ୍ଏନ୍ଏସ୍ : ବାହାଘର ଜିନଷ ନେଇ ଯାଉଥିବା ଏକ ଭ୍ୟାନ୍ ଶୁକ୍ରବାର ରାତିରେ ଭାରସାମ୍ୟ ହରାଇ ବୈପାରିଗୁଡ଼ା ଥାନା ମନ୍ତ୍ରୀଆମ୍ବ ଗ୍ରାମ ନିକଟରେ ଓଲଟି ପଡ଼ିଛି। ଘଟଣାରେ କନ୍ୟା ପକ୍ଷର ୧୨ଜଣ ଆହତ ହୋଇଥିବା ଜଣାପଡ଼ିଛି। ବୈପାରିଗୁଡ଼ା ଥାନାଧିକାରୀ ରଘୁନାଥ ମାଝୀଙ୍କ ସୂଚନାନୁଯାୟୀ, ମାଲକାନଗିରି ଜିଲ୍ଲା ଖଇରପୁଟ ଗ୍ରାମର ଯୁବକ କୋରାପୁଟ ଜିଲ୍ଲା ସେମିଲିଗୁଡ଼ାରେ ଜୈନିକ ଯୁବତୀଙ୍କୁ ବିବାହ କରିଥିଲେ। ଶୁକ୍ରବାର ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ କନ୍ୟାପକ୍ଷ ଲୋକ ଝିଅର ଜିନିଷ ନେଇ ଖଇରପୁଟ ଯାଉଥିବାବେଳେ ମନ୍ତ୍ରୀଆମ୍ବ ନିକଟରେ ଗାଡ଼ି ଓଲଟି ପଡ଼ିଥିଲା। ଖବର ପାଇ ଥାନାଧିକାରୀ ଶ୍ରୀ ମାଝୀ, ସବଇନ୍ସପେକ୍ଟର ଅସୀତ କୁମାର ବଳବନ୍ତରାୟ ଓ ଅନ୍ୟମାନେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣାପଡ଼ିଛି।