ଏଲଏସି ନିକଟରେ ସାମରିକ ବିମାନ ଘାଟି ନିର୍ମାଣ କରୁଛି ଚୀନ

  • ନୂଆଦିଲ୍ଲୀ: ଲଦାଖ ନିକଟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ନିଜର ସାମରିକ ଭିତ୍ତିଭୂମିକୁ ସୁଦୃଢ଼ କରିଚାଲିଛି ଚୀନ। ଚୀନ ପୂର୍ବରୁ ସଡ଼କ, ସ୍ଥାୟୀ ସେନା ଶିବିର, ହେଲିପ୍ୟାଡ୍ ଆଦି ନିର୍ମାଣ କରିଥିବାବେଳେ ଏବେ ସେଠାରେ ବିମାନ ଘାଟି ନିର୍ମାଣ କରୁଛି।
    ମିଳିଥିବା ସୂଚନା ଅନୁଯାୟୀ, ଚୀନ ପୂର୍ବ ଲଦାଖ ନିକଟରେ ଥିବା ସିଜିଆନ ପ୍ରଦେଶର ସାକଚେ ଟାଉନ ନିକଟରେ ଏକ ବିମାନ ଘାଟି ନିର୍ମାଣ କରୁଛି। ଏଠାରେ ଚୀନ ଲଢ଼ୁଆ ବିମାନ ମୁତୟନ କରିବ। ଏହି ବିମାନ ଘାଟିରୁ ଲଢୁଆ ବିମାନ ଉଡ଼ି ଭାରତ ଉପରେ ସହଜରେ ଆକ୍ରମଣ କରିପାରିବେ ବୋଲି ଚୀନ ଚିନ୍ତା କରୁଛି। ପୂର୍ବରୁ କାସଗର ଓ ହୋଗାନଠାରେ ଚୀନର ବାୟୁସେନା ଘାଟି ଥିଲା। ଏହି ନୂଆ ବିମାନ ଘାଟିଟି କାସଗର ଓ ହୋଗାନ ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ।
    ସାକଚେରେ ପୂର୍ବରୁ ଏକ ବିମାନ ଘାଟି ଥିବାବେଳେ ଏବେ ତାହାର ବିକାଶ କରାଯାଇ ଲଢୁଆ ବିମାନ ପାଇଁ ପ୍ରସ୍ତୁତ କରାଯାଉଛି। ଏହି ବିମାନ ଘାଟିଟି ଅପେକ୍ଷାକୃତଭାବେ ଏଲଏସି ନିକଟରେ ଅବସ୍ଥିତ ହୋଇଥିବାରୁ ତାହା ଭାରତର ଚିନ୍ତା ବଢାଇଦେଇଛି।