ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ମଧ୍ୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର ଅନେକ ଦେଶ ଭଳି ଭାରତ ମଧ୍ୟ ଏହି ଲଢ଼େଇ ସମୟରେ ଖୁବ୍ ବଡ଼ ଯନ୍ତ୍ରଣା ଦେଇ ଗତି କରିବାକୁ ପଡ଼ିଛି। ଗତ ୧୦୦ ବର୍ଷ ମଧ୍ୟରେ ଆସିଥିବା ସବୁଠୁ ବଡ଼ ମହାମାରୀ। ଏଭଳି ମହାମାରୀ ଆଧୁନିକ ବିଶ୍ୱ ନା କେବେ ଦେଖିଥିଲା ନା ଅନୁଭବ କରିଥିଲା। କିନ୍ତୁ ଏହା ବିରୋଧରେ ସାରା ଦେଶ ଏକାଠି ହୋଇ ଲଢ଼ିଛି। ବିଗତ ଦେଢ଼ ବର୍ଷରେ ଦେଶରେ ନୂଆ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି। ପୂର୍ବରୁ ମେଡିକାଲ ଅକ୍ସଜେନର କେବେ ବି ଅଭାବ ପଡ଼ିନଥିଲା। ଅକ୍ସିଜେନ ପାଇଁ ଜଳ, ସ୍ଥଳ ଓ ଆକାଶକୁ ବ୍ୟବହାର କରାଯାଇଛି। ଜରୁରୀ ଔଷଧର ଉତ୍ପାଦନକୁ ଅନେକ ଗୁଣା ବୃଦ୍ଧି କରାଯାଇଛି। କରୋନା ଭଳି ଅଦୃଶ୍ୟ ଶତ୍ରୁ ବିରୋଧରେ ବଡ଼ ଅସ୍ତ୍ର ହେଉଛି କୋଭିଡ ପ୍ରୋଟୋକଲ। ଏହି ଲଢ଼େଇରେ ଟିକା ଆମ ପାଇଁ ସୁରକ୍ଷା କବଚ ପାଲଟିଛି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, କରୋନାର ଦ୍ୱିତୀୟ ଲହରୀରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜର ପରିଜନଙ୍କୁ ହରାଇଛନ୍ତି। ଆମ ବୈଜ୍ଞାନିକମାନେ ଠିକ୍ ସମୟରେ ଟିକା ପ୍ରସ୍ତୁତ କରିବେ ବୋଲି ବିଶ୍ୱାସ ଥିଲା। ଆମ ବୈଜ୍ଞାନିକ ରିସର୍ଚ୍ଚର୍ ଚଳାଇଥିବାବେଳେ ଆମେ ଲଜିଷ୍ଟିକ ପ୍ରସ୍ତୁତି କରିଥିଲୁ। ଟିକା ପ୍ରସ୍ତୁତ କରୁଥିବା କମ୍ପାନୀକୁ ସରକାର ସବୁ ପ୍ରକାର ସହାୟତା ଦେଇଥିଲେ। ସବୁ ପରିସ୍ଥିତିରେ ଟିକା କମ୍ପାନୀ ସହ ସରକାର କାନ୍ଧକୁ କାନ୍ଧ ମିଳାଇଥିଲେ। ଆଗାମୀ ସମୟରେ ଟିକା ଉତ୍ପାଦନ ବହୁଗୁଣିତ ହେବ। ୭ଟି କମ୍ପାନୀ ଟିକା ଉତ୍ପାଦନ କରୁଛନ୍ତି , ଆଉ ୩ଟି ଟିକା ଟ୍ରାଏଲ ହେଉଛି। ପିଲାଙ୍କ ପାଇଁ ୨ଟି ଟିକାର ଟ୍ରାଏଲ ତ୍ୱରିତ ଗତିରେ ଚାଲିଛି। ଏଜେ ନାଜାଲ ଟିକାର ପରୀକ୍ଷଣ ମଧ୍ୟ ଜାରି ରହିଛି। ଯଦି ଏହା ସଫଳ ହେବ ତା’ହେଲେ ଆମ ଟିକା ଅଭିଯାନ ତ୍ୱରାନ୍ୱିତ ହେବ।