ଜୁଲାଇରେ ଭ୍ୟାକ୍ସିନ ସଙ୍କଟ ଦୂର ହେବ: ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଭ୍ୟାକ୍ସିନର ଅଭାବ ଦେଖା ଦେଇଥିବାବେଳେ ଆଗାମୀ ୨ ମାସ ମଧ୍ୟରେ ଏହି ସମସ୍ୟା ଦୂର ହେବ। ଏନେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ସୂଚନା ଦେଇଛନ୍ତି। ଗୁଲେରିୟା କହିଛନ୍ତି ଯେ, ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା କମ୍ପାନୀ ଭାରତରେ ଉତ୍ପାଦନ ଆରମ୍ଭ କରିବାକୁ ଯାଉଥିବାରୁ ଆଗାମୀ ୨ ମାସରେ ବଡ଼ ମାତ୍ରାରେ ଭ୍ୟାକ୍ସିନ ଉପଲବ୍ଧ ହେବ। ଏତଦବ୍ୟତୀତ ବାହାରୁ ମଧ୍ୟ ଭ୍ୟାକ୍ସିନ ଆସିବ। କିନ୍ତୁ ବୈଶ୍ୱିକ ଓ ରାଷ୍ଟ୍ରୀୟସ୍ତରରେ ସମୟ ସମୟରେ ଭ୍ୟାକ୍ସିନର ଅଭାବ ରହିବ ବୋଲି ଗୁଲେରିୟା କହିଛନ୍ତି।

ଡା.ଗୁଲେରିୟା ଆହୁରି କହିଛନ୍ତି ଯେ, କୋଭିସିଲ୍ଡ, କୋଭାକି୍ସନ ଓ ସ୍ପୁଟନିକ ଭ୍ୟାକ୍ସିନର ଉତ୍ପାଦନ ଅଧିକରୁ ଅଧିକ ମାତ୍ରାରେ କରାଯିବ। ଭାରତରେ ସ୍ପୁଟନିକର ଉତ୍ପାଦନ ପାଇଁ ବିଭିନ୍ନ କମ୍ପାନୀ ସହ ଆଲୋଚନା ଜାରି ରହିଛି। ଏଥିସହିତ ଭାରତ ବାୟୋଟିକ ଓ ସିରମ ଇନଷ୍ଟିଚ୍ୟୁଟ ମଧ୍ୟ ନୂଆ ପ୍ଲାଣ୍ଟ ପ୍ରସ୍ତୁତ କରୁଛନ୍ତି। ଜୁଲାଇ-ଅଗଷ୍ଟ ସୁଦ୍ଧା ଆମ ପାଖରେ ବଡ଼ ମାତ୍ରାରେ ଡୋଜ ଉପଲବ୍ଧ ରହିବ।