ବାହାଘର ପାଇଁ ଟିକାକରଣ ସାର୍ଟିଫିକେଟ ଜରୁରୀ- ମଧ୍ୟପ୍ରଦେଶ ସରକାର

ମଧ୍ୟପ୍ରଦେଶ,ଏଜେନ୍ସି: ମଧ୍ୟପ୍ରଦେଶ ସରକାର ଲକଡାଉନ କରି ରାଜ୍ୟରେ ବିବାହ ଉତ୍ସବକୁ ଅନୁମତି ଦେଇଥିବା ବେଳେ ବାଲାଘାଟର ୱାରାସୋନିରେ ପ୍ରଶାସନ ଆଉ ଏକ ଭିନ୍ନ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ଦମ୍ପତିଙ୍କୁ ବିବାହ ପାଇଁ ସମ୍ପୂର୍ଣ୍ଣ ଟିକାକରଣ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ। ଏହି ନିଷ୍ପତ୍ତି ଉକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରି ଏହି ଆଦେଶକୁ ରଦ୍ଦ କରିବାକୁ ଦାବି କରିଛନ୍ତି।

ସବ-ଡିଭିଜନାଲ ମାଜିଷ୍ଟ୍ରେଟ ସନ୍ଦୀପ ସିଂଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଆଦେଶରେ ବିବାହ ପାଇଁ ଅନୁମତି ପାଇବା ପାଇଁ ଆବଶ୍ୟକ ପାଞ୍ଚଟି ଡକ୍ୟୁମେଣ୍ଟ ଉଲ୍ଲେଖ କରାଯାଇଛି। ଏଥିରେ ବର-କନିଆ ଓ ସେମାନଙ୍କ ପିତାମାତାଙ୍କର ଟିକାକରଣ ପ୍ରମାଣପତ୍ର ଜରୁରୀ ଅଟେ। ପ୍ରଶାସନ କହିଛି ଯେ ଟିକାକରଣକୁ ପ୍ରୋତ୍ସାହିତ କରିବା ଏହି ଆଦେଶର ଉଦ୍ଦେଶ୍ୟ।

ସୂଚନା ଅନୁସାରେ କରୋନା ସଂକ୍ରମଣର ତୃତୀୟ ଲହରକୁ ଲକ୍ଷ କରି ମେ’ ୩୧ରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ‘କରୋନା କର୍ଫ୍ୟୁ’କୁ ଜୁନ୍ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଏହି ମଧ୍ୟରେ ପ୍ରତି ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ରହିବ। ଅବଶିଷ୍ଟ ଦିନଗୁଡ଼ିକରେ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ରହିବ ବୋଲି ଘୋଷଣା ହୋଇଥିଲା।