ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟର ମତଦନା ଶେଷ ହୋଇଛି। ନିର୍ବାଚନ ଆୟୋଗ ପୂରା ବଳ କଷିଥିଲେ ଯେ, ଏଥର ଭାରିମାତ୍ରାରେ ମତଦାନ ହେବ। କରୋନାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଜଣାପଡ଼ିଛି ଯେ, ପ୍ରଥମ ପର୍ଯ୍ୟାୟରେ ୬୦.୧୭ ପ୍ରତିଶତ ମତଦାନ ହୋଇଛି। ଏହା ୨୦୧୭ ତୁଳନାରେ ୩ ପ୍ରତିଶତ କମ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଗତ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୩.୫ ପ୍ରତିଶତ ମତଦାନ ହୋଇଥିଲା।
ଚଳିତ ବର୍ଷ କମ୍ ଭୋଟିଙ୍ଗ ପାଇଁ ଅନେକ କାରଣ ରହିଛି। ସେଥିରୁ ମୁଖ୍ୟତଃ କରୋନା କାରଣରୁ ଅନେକ ମତଦାତା ବୁଥକୁ ଯାଇପାରି ନାହାନ୍ତି। ଗାଜିଆବାଦରେ ଏଥର ୫୪.୭୭ ପ୍ରତିଶତ ମତଦାନ ହୋଇଛି। ୨୦୧୭ରେ ତୁଳନାରେ ଏହା କମ୍। ୨୦୧୭ ବିଧାନସଭାରେ ଗାଜିଆବାଦରେ ୫୪.୯୯ ପ୍ରତିଶତ ମତଦାନ ହୋଇଥିଲା।
ସୂଚନାଯୋଗ୍ୟ, ଗୁରୁବାର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ପାଇ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରେ ମତଦାନ ହୋଇଥିଲା। ଆଗ୍ରାର ୯, ମେରଠର ୭, ଆଲିଗଡ଼ର ୭, ହାପୁଡର ୩, ବୁଲନ୍ଦସହରର ୭, ମୁଜାଫରନଗରର ୬, ଗାଜିଆବାଦର ୫, ମଥୁରାର ୫, ଶାମଲିର ୩, ଗୌତମବୁଦ୍ଧନଗରର ୩ ଓ ବାଗପତର ୩ ଆସନରେ ଏହି ମତଦାନ ହୋଇଥିଲା। ମୋଟ ୫୮ଟି ମଧ୍ୟରୁ ୧୨ଟି ଆସନ ସମ୍ବେଦନଶୀଳ ଥିଲା। ଏଗୁଡ଼ିକ ହେଲା ଖୈରାଗଡ଼, ଫତେହାବାଦ, ଆଗ୍ରା (ଦକ୍ଷିଣ), ବାହ, ଛାତା, ସରଘନା, ମେରଠ ସହର, ଛପରୌଲି, ବଡୌତ, ବାଗପତ ଓ କୈରାନ।