ମଧ୍ୟରାତ୍ରିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର୍ଯ୍ୟାଳୟର ଟୁଇଟର୍‌ ହ୍ୟାଣ୍ଡଲ ହ୍ୟାକ୍‌, ବଦଳିଗଲା ପ୍ରୋଫାଇଲ୍‌ ଫଟୋ

ଲକ୍ଷ୍ନୌ,ଏଜେନ୍ସି: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଟୁଇଟର ହ୍ୟାଣ୍ଡଲ (@CMOfficeUP) ଶୁକ୍ରବାର ରାତିରେ ହ୍ୟାକ୍‌ ହୋଇଛି। କେବଳ ସେତିକି ନୁହେଁ, ହ୍ୟାକ୍‌ କରିଥିବା ଆକାଉଣ୍ଟର ଡିପି ମଧ୍ୟ ବଦଳି ଯାଇଥିଲା। ମାତ୍ର କିଛି ସମୟ ପରେ ଡିପିରେ ପୁଣି ଥରେ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ଦେଖିବାକୁ ମିଳିଥିଲା।

ହ୍ୟାକର ଆକାଉଣ୍ଟର କୋ-ଫାଉଣ୍ଡରଙ୍କ ସ୍ଥାନରେ @BoredAeYC ଲେଖିଦେଇଥିଲା। ସଦ୍ୟତମ ସୂଚନା ଅନୁସାରେ ଟୁଇଟର ହ୍ୟାଣ୍ଡଲ ଆଂଶିକ ରୂପରେ ପ୍ରଭାବିତ ହୋଇଥିଲା। ଏଥି ସହିତ ପୋଷ୍ଟ ମଧ୍ୟ ଟୁଇଟ୍‌ ହୋଇଥିଲା। ଯେତେବେଳେ ୟୁଜର୍ସ ଜାଣିପାରିଲେ ଯେ, ଉତ୍ତର ପ୍ରଦେଶ ସିଏମ୍‌ଓଙ୍କ ଟୁଇଟର ହ୍ୟାଣ୍ଡଲ ହ୍ୟାକ୍‌ ହୋଇଛି, ଏହାର ସ୍କ୍ରିନ୍‌ ସର୍ଟ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତର ପ୍ରଦେଶ ପୋଲିସକୁ ଏବାବଦରେ ଅଭିଯୋଗ କରିବା ଆରମ୍ଭ କରିଦେଇଥିଲେ।

ସୂଚନାଯୋଗ୍ୟ, ଏହା ପ୍ରଥମ ଥରର ଘଟଣା ନୁହେଁ। ଏଭଳି ଅନ୍ୟ ନେତା ଓ ସଂସ୍ଥାର ଟୁଇଟର ହ୍ୟାଣ୍ଡଲ ପୂର୍ବରୁ ହ୍ୟାକ୍‌ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟୁଇଟର ଆକାଉଣ୍ଟ ମଧ୍ୟ ଅତୀତରେ ହ୍ୟାକ୍‌ ହୋଇଛି।