ୱଶିଂଟନ୍,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର କହିଛନ୍ତି ତାଙ୍କ ପ୍ରଶାସନ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍କୁ ୮୦୦ ମିଲିୟନ ଡଲାର ଅତିରିକ୍ତ ସେନା ସହାୟତା ପ୍ରଦାନ କରିବ। ଏଥିରେ ଅତ୍ୟାଧୁନିକ ଯୁଦ୍ଧ ସାମଗ୍ରୀ ମଧ୍ୟ ସାମିଲ ରହିଛି । ରୁଷିଆର ସେନା ୟୁକ୍ରେନ୍ର ଦୋନବାସ ଅଞ୍ଚଳରେ ଆକ୍ରମଣ ପାଇଁ ସଜବାଜ ହେଉଥିବା ବେଳେ ଆମେରିକାର କ୍ରମାଗତ ଭାବେ ୟୁକ୍ରେନ୍କୁ ସେନା ସହାୟତା ଯୋଗାଇବାକୁ ଘୋଷଣା କରିଛି। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କ ସହିତ ଫୋନ୍ରେ କଥାବାର୍ତ୍ତା ହେବା ପରେ ଏହି ବୟାନ ଦେଇଛନ୍ତି।
ୟୁକ୍ରେନ୍ର ପୂର୍ବଭାଗରେ ରୁଷିଆର ସେନା ଆକ୍ରମଣ କରିପାରେ। ଏପର୍ଯ୍ୟନ୍ତ ୟୁକ୍ରେନ୍କୁ ଆମେରିକା ଶକ୍ତିଶାଳୀ ଅସ୍ତ୍ର ଯୋଗାଇ ଦେଇଛି। ଏଥି ସହିତ ଆହୁରି ଅନେକ ଅସ୍ତ୍ର ଯୋଗାଇବ ବୋଲି ରାଷ୍ଟ୍ରପତି ବାଇଡେନ କହିଛନ୍ତି। ସେ କହିଛନ୍ତି ଯେ, ଅତିରିକ୍ତ ହେଲିକପ୍ଟର ପାଇଁ ମୁଁ ମଞ୍ଜୁରୀ ଦେଇଛି। ଆମେରିକା ନିଜର ସହଯୋଗୀ ରାଷ୍ଟ୍ରକୁ ସବୁବେଳେ ସହାୟତା ପ୍ରଦାନ କରିବା ପାଇଁ ପସ୍ତୁତ ଅଛି।
ସୂଚନାଯୋଗ୍ୟ, ରୁଷିଆ ଓ ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଆମେରିକା ଏପର୍ଯ୍ୟନ୍ତ ୧.୭ ବିଲିୟନ ଡଲାର ସୁରକ୍ଷା ସହାୟତା ଯୋଗାଇ ଦେଇସାରିଛି। ଏହି ଯୁଦ୍ଧ ଏବେ ୫୦ ଦିନରେ ପହଞ୍ଚିଛି। ଶାନ୍ତି ପାଇଁ ଉଭୟ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଏକାଧିକ ଥର କଥାବର୍ତ୍ତା ହୋଇଛି। କିନ୍ତୁ ଆଲୋଚନା ବିଫଳ ହୋଇଥିବାରୁ ଯୁଦ୍ଧ ଜାରି ରହିଛି।