ରାଷ୍ଟ୍ରପତିଙ୍କ କାରକେଡ଼ ବେଳେ ଗାଡି ରୋକିବାରୁ ଅସୁସ୍ଥ ମହିଳାଙ୍କ ମୃତ୍ୟୁ, କ୍ଷମା ମାଗିଲା ପୁଲିସ

କାନପୁର,ଏଜେନ୍ସି: ଉତ୍ତରପ୍ରଦେଶକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ୩ ଦିନିଆ ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ଥିବା ପୁଲିସ କର୍ମଚାରୀଙ୍କ ଭୁଲ ଯୋଗୁଁ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ମହିଳା ଜଣଙ୍କ ୫୦ ବର୍ଷୀୟ ମହିଳା ବନ୍ଦନା ମିଶ୍ର। ସେ କାନପୁର ସ୍ଥିତ ଇଣ୍ଡିଆନ ଆସୋସିଏସନ୍ ଅଫ୍ ଇଣ୍ଡଷ୍ଟ୍ରିଜରେ ମହିଳା ବିଭାଗର ଅଧ୍ୟକ୍ଷା ଥିଲେ।

ସୂଚନା ଅନୁସାରେ ସେ ଗୁରୁତର ରୋଗରେ ପୀଡ଼ିତ ହେବାରୁ ଗତକାଲି ରାତ୍ରିରେ ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ବାହାରିଥିଲେ। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଗମନ ହୋଇଥିଲା। ବନ୍ଦନା ମିଶ୍ରଙ୍କ ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେଉଥିବା ରାସ୍ତାରେ ରାଷ୍ଟ୍ରପତିଙ୍କୁ ସୁରକ୍ଷାରେ ନିୟୋଜିତ ଥିବା ପୁଲିସ କର୍ମଚାରୀମାନେ ଉକ୍ତ ରାସ୍ତାକୁ ବନ୍ଦ କରିଥିଲେ। ଫଳରେ ଅସୁସ୍ଥ ମହିଳା ଜଣଙ୍କ ବିଳମ୍ବରେ ହସ୍ପିଟାଲରେ ପହଞ୍ଚିଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ କାନପୁର ପୁଲିସ କମିସନର ଅସିମ ଅଋଣ ଦୁଃଖ ପ୍ରକାଶ କରିବା ସହିତ ଟୁଇଟ କରି କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି ଯେ, ଆଇଆଇଏର ଅଧ୍ୟକ୍ଷା ବନ୍ଦନା ମିଶ୍ରଙ୍କ ବିୟୋଗରେ କାନପୁର ନଗର ପୁଲିସ ଓ ବ୍ୟକ୍ତିଗତ ଭାବେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଭବିଷ୍ୟତ ପାଇଁ ଏହା ଏକ ବଡ଼ ଶିକ୍ଷା। ଏଥିସହ ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହେବ ତାର ବ୍ୟବସ୍ଥା କରିବାକୁ ଶପଥ କରିଛନ୍ତି।