ବାଲିଗୁଡ଼ା,ଏନ୍ଏନ୍ଏସ୍: ବିଏସଏନଏଲ୍ ମୋବାଇଲ ଟାୱାର ନିର୍ମାଣରେ ନିୟୋଜିତ ଥିବା ଜଣେ ଶ୍ରମିକ ଠିକାଦାରଙ୍କ ଅଚାନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାନାଜପୁର ଜିଲ୍ଲା ଅନ୍ତର୍ଗତ ଗଙ୍ଗାରାମପୁର ଥାନା ନିଳଡ଼ଙ୍ଗା ଅଞ୍ଚଳର ସୂର୍ଯ୍ୟ ଦାସ । ମିଳିଥିବା ରିପୋର୍ଟ ମୁତାବକ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଝିରିପାଣି ଅଞ୍ଚଳରେ ବିଏସଏନଏଲ୍ ମୋବାଇଲ ଟାୱାର ନିର୍ମାଣ କାମ ଚାଲି ଥିବାବେଳେ ଏଥିରେ ନିୟୋଜିତ ଥିବା ସୂର୍ଯ୍ୟଙ୍କ ହଠାତ୍ ଦେହ ଖରାପ ହେବାରୁ ଶ୍ରମିକମାନେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଏନେଇ ଖବର ପାଇ ବାଲିଗୁଡ଼ା ଥାନା ପୁଲିସ ଡାକ୍ତରଖାନାରେ ପହଁଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ମୃତକଙ୍କ ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରି ନିଜ ଗାଁକୁ ଶବ ପଠାଇବାର ବ୍ୟବସ୍ଥା କରିଛି । ଅନ୍ୟପଟେ ବାଲିଗୁଡ଼ା ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।