ଅନଲକ୍-୧.୦ : ସ୍ୱାସ୍ଥ୍ୟମନ୍ତ୍ରଣାଳୟର ନୂଆ ଏସଓପି ଜାରି

୮ରୁ ଖୋଲିବ ମଲ୍, ହୋଟେଲ, ରେଷ୍ଟୁରାଣ୍ଟ ଓ ଧର୍ମସ୍ଥଳୀ

ନୂଆଦିଲ୍ଲୀ : କେନ୍ଦ୍ରର ଅନଲକ୍-୧.୦କୁ ଆହୁରି କୋହଳ କରିବାକୁ ଯାଇ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଗୁରୁବାର ଏକ ନୂଆ ମାର୍ଗଦର୍ଶିକା (ଏସଓପି) ଜାରି କରିଛି। ଏହି ମାର୍ଗଦର୍ଶିକା ଅନୁଯାୟୀ ଆସନ୍ତା ୮ ତାରିଖରୁ ମଲ୍, ହୋଟେଲ, ରେଷ୍ଟୁରାଣ୍ଟ ଓ ଧର୍ମସ୍ଥଳୀଗୁଡିକ ଖୋଲିବ। ଲକଡାଉନ୍ ଯୋଗୁଁ ଏସବୁ ପ୍ରାୟ ୭୦ ଦିନ ଧରି ବନ୍ଦ ରହିଛି। ଏଣିକି ମଲକୁ ଯିବା ବେଳେ କେତେକ ନିୟମ ମାନିବାକୁ ହେବ। ମଲର ପ୍ରବେଶ ପଥରେ ସାନିଟାଇଜର ବ୍ୟବହାର କରିବାକୁ ହେବ ଏବଂ ଥର୍ମାଲ ସ୍କ୍ରିନିଂ କରାଯିବ। ମଲର କର୍ମଚାରୀ ଏବଂ ଉପଭୋକ୍ତାଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ପିଲାମାନଙ୍କ ପାଇଁ ସେଠାରେ ରହୁଥିବା ଖେଳକୁଦ ସ୍ଥାନ ବନ୍ଦ ରହିବ। ସପିଂ ମଲ୍ ଭିତରେ ସିନେମା ହଲ୍ଗୁଡିକ ବନ୍ଦ ରହିବ। କରୋନା ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମଗୁଡିକ ପାଳନ କରିବାକୁ ପଡିବ।
ସେହିପରି ହୋଟେଲ ରେଷ୍ଟୁରାଣ୍ଟ ଗୁଡିକରେ ଅନୁରୂପ ନିୟମ ପାଳନ କରିବାକୁ ହେବ। କରୋନା ଲକ୍ଷଣ ନଥିବା କର୍ମଚାରୀ ଓ ଗ୍ରାହକଙ୍କୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା ସ୍ଥାନଗୁଡିକରେ ହୋଟେଲକୁ ଯିବା ପାଇଁ ଅନୁମତି ନାହିଁ।

ଧର୍ମୀୟସ୍ଥଳୀ ପାଇଁ ଜାରୀ ଗାଇଡ୍ଲାଇନ୍ରେ କୁହାଯାଇଛି ମନ୍ଦିରରେ ପ୍ରବେଶ କରିବା ବେଳେ ହାତ ବିଶୋଧନ କରିବାକୁ ପଡିବ। ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯିବ। ସବୁ ଲୋକ ଫେସ୍ କଭର / ମାସ୍କ ବ୍ୟବହାର କରିବେ। ମନ୍ଦିରରେ ମୂର୍ତ୍ତି / ପ୍ରତିମା / ଧର୍ମଗ୍ରନ୍ଥ ଇତ୍ୟାଦି ଛୁଇଁବା ମନା। ମନ୍ଦିର ପରିସରରେ ଧର୍ମୀୟ ସମାବେଶ ପାଇଁ ଅନୁମତି ନାହିଁ। ସେହିପରି ପ୍ରସାଦ ବଣ୍ଟନ, ପବିତ୍ର ଜଳ ଶିଞ୍ଚନ ପାଇଁ ଅନୁମତି ମିଳିବ ନାହିଁ। ଧର୍ମୀୟ ସ୍ଥଳରେ ଗୋଷ୍ଠୀ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ହେବ।