ଅଜଣା ରୋଗରେ ପୀଡ଼ିତ ଗଣେଶ : ଗୁଣିଆ ଭରସାରେ ଜୀବନ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ନିଲିଗୁଡା ଗ୍ରାମରେ ଜଣେ ୯ ବର୍ଷ ର ଶିଶୁ ଗୁଣିଆ ଭରସାରେ ଜୀବନ କାଟୁଥିବା ଦେଖିବାକୁ ମିଳିଥିଲା । ପ୍ରଥମେ ସାମାନ୍ୟ ଜ୍ଵର ଓ ପରେ ଧୀରେ ଧୀରେ ଶରୀରର ବିଭିନ୍ନ ସ୍ଥାନରେ ପୀଡା ଅନୁଭବ ହେବା ସହ ଜୀବନ ଯନ୍ତ୍ରଣା ବଢିବାରେ ଲଗିଲା। ପରିବାର ଲୋକ ଶିଶୁକୁ ବିଭିନ୍ନ ଚିକିତ୍ସାଳୟକୁ ନେଇ ନିରାଶ ହେବା ପରେ ଶେଷରେ ପୁଅର ଜୀବନକୁ ଗୁଣିଆ ଭରସାରେ ଛାଡି ଦେଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କାଲିମେଳା ବ୍ଲକ ଅନ୍ତର୍ଗତ ବଦଲି ଗ୍ରାମର ଭିମା ପଡିଆମିଙ୍କ ସାନ ପୁଅ ଗଣେଶ ପଡିଆମି ଗତ ପ୍ରାୟ ନଅ ମାସ ଧରି ଜ୍ଵରରେ ପୀଡିତ ହୋଇଥିଲେ ଓ ପରେ ସାରା ଶରୀରରେ ପୀଡା ଅନୁଭବ ହୋଇଥିଲା। ଭିମାର ପରିବାର ଆର୍ଥିକ ସ୍ୱଚ୍ଛଳତା ନଥିବା ସତ୍ତ୍ୱେ ଗଣେଶକୁ ବିଭିନ୍ନ ସ୍ଥାନକୁ ନେଇ ଚିକିତ୍ସା କରାଇଥିଲେ, ତେବେ ପ୍ରକୃତ ରୋଗ ଚିହ୍ନଟ ହୋଇପାରୁନଥିବା ବେଳେ ଦିନକୁ ଦିନ ଗଣେଶର ଶରୀର ଅସୁସ୍ଥ ହେବାରେ ଲାଗିଥିଲା। ଏହାପରେ ପ୍ରାୟ ଏକ ମାସ ଧରି ଗଣେଶକୁ ପରିବାର ଲୋକ ନିଲିଗୁଡାରେ ଜଣେ ଦିଶାରୀଙ୍କ ଘରେ ରଖି ଦେଶୀ ପଦ୍ଧତିରେ ଚିକିତ୍ସା କରାଉଥିବା ଜଣାପଡ଼ିଛି। ତୃଣମୂଳ ସ୍ତରରେ ସ୍ଵାସ୍ଥ୍ୟ ବିଭାଗ ପହଁଚି ଲୋକଙ୍କୁ ଚିକିତ୍ସା ସେବା ଯୋଗାଉ ଥିବା ବେଳେ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗଣେଶ ପଡିଆମିର ଅଜଣା ରୋଗକୁ ନେଇ ପରିବାର ଲୋକ ଏଣେତେଣେ ଘୁରିବୁଲୁଥିବା ଦେଖିବାକୁ ମିଳିଛି। ଏପରି ସ୍ଥଳେ ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ସହଯୋଗ କଲେ ପୁଅର ରୋଗ ଚିହ୍ନଟ ସହ ଉତ୍ତମ ଚିକିତ୍ସା କରାଯାଇପାରନ୍ତା ବୋଲି ଭିମା କହିଛି।