ଜମ୍ମୁ କଶ୍ମୀର ସୁରକ୍ଷା ଓ ବିକାଶକୁ ନେଇ ଗୃହମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଜମ୍ମୁ କଶ୍ମୀର ସୁରକ୍ଷା ଓ ବିକାଶ ସ୍ଥିତିକୁ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଜମ୍ମୁ କାଶ୍ମୀର ଉପ-ରାଜ୍ୟପାଳ ମନୋଜ ସିହ୍ନା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଜମ୍ମୁ କଶ୍ମୀର ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

ପ୍ରଥମେ ଗତ ୩ ବର୍ଷ ଧରି ଘାଟି ସମେତ ସମଗ୍ର ଜମ୍ମୁ କଶ୍ମୀରରେ ଆତଙ୍କୀ ଗତିବିଦ୍ଧି ହ୍ରାସ ପାଇବା ସହ ଅନୁପ୍ରବେଶ ବନ୍ଦ ହୋଇଥିବାରୁ ସ୍ଥାନୀୟ ପୁଲିସ, ସେନା ଓ ବରିଷ୍ଠ ଅଧିକାରୀଙ୍କୁ ଗୃହମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ।

ଘାଟି ସମେତ ପୁରା ଜମ୍ମୁ କାଶ୍ମୀରରେ ୨୦୧୮ ରେ ୪୧୭ ଆତଙ୍କବାଦୀ ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଏହା ହ୍ରାସ ପାଇଁ ୨୦୨୧ ରେ ୨୨୯ ରେ ପହଞ୍ଚିଛି। ସେହିପରି ସୁରକ୍ଷାକର୍ମୀଙ୍କ ଶହୀଦ ସଂଖ୍ୟା ୨୦୧୮ ରେ ୯୧ ରେ ହ୍ରାସ ପାଇ ୨୦୨୧ ରେ ୪୨ ରେ ପହଞ୍ଚିଛି। ଗୃହମନ୍ତ୍ରୀ ସମଗ୍ର ସୀମାରେ ସୁରକ୍ଷା ଗ୍ରୀଡକୁ ଆହୁରି ମଜବୁତ କରିବା ସହ ସ୍ଥାୟୀ ଭିତ୍ତିଭୂମିକୁ ଦୃତଗତିରେ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସୁରକ୍ଷାବଳଙ୍କ ପାଇଁ ସୀମାରେ ହେଉଥିବା ବଙ୍କର, ଆଶ୍ରୟ ସ୍ଥଳ ଉନ୍ନତମାନର ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଥିଲେ।

ସେହିପରି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ କହିଛନ୍ତି ରାଷ୍ଟ୍ରର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଉଥିବା ଜମ୍ମୁ କଶ୍ମୀର ପୁଲିସ ଯବାନଙ୍କ ପ୍ରିୟ ପରିଜନଙ୍କୁ ଆର୍ଥିକ ସହାୟତା ରାଶି ୫ ଲକ୍ଷରୁ ବଢାଇ ୨୫ ଲକ୍ଷ କରିଦିଆଯାଇଛି। ସେହିଭଳି ଗୃହମନ୍ତ୍ରୀ ବୈଠକରେ ଜାମ୍ମୁ କାଶ୍ମୀରର ବିକାଶ, ସ୍ଥାୟୀ ଭିତ୍ତିଭୂମି, କେନ୍ଦ୍ର ସରକାରଙ୍କ ଯୋଜନା, ଲୋକଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ରୋଜଗାର ଓ ଆବଶ୍ୟକ ଭିତ୍ତିଭୂମିକୁ ଆହୁରି ଦୃତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।