କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ, କାର୍ଯ୍ୟନୁଷ୍ଠାନ ଦାବି କଲା ଆଦିବାସୀ ସଂଘ

ସଇଁନ୍ତଲା,ଏଜେନ୍ସି: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ପଞ୍ଚାୟତ ସମିତି କଲେଜ କର୍ତ୍ତ୍ରୁପକ୍ଷଙ୍କ ଅବହେଳା ଯୋଗୁଁ ଆଦିବାସୀ ଛାତ୍ରୀ ଯୁକ୍ତ ୩ ପ୍ରଥମ ସେମିଷ୍ଟାର ପରୀକ୍ଷା ଦେବାରୁ ବଞ୍ଚିତ ହେଇଛନ୍ତି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ସଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ଡାଙ୍ଗବାହାଲ ଗାଁର ସଙ୍ଗୀତା ଭୋଇ, ସଇଁନ୍ତଳା ସ୍ଥିତ ପଞ୍ଚାୟତ ସମିତି କଲେଜରେ ଯୁକ୍ତ ୩ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ଯୁକ୍ତ ୩ ପ୍ରଥମ ସେମିଷ୍ଟାର ପରୀକ୍ଷା ପାଇଁ ଫର୍ମଫିଲପ୍‌ କରିଥିଲେ ମଧ୍ୟ ଆଡମିଟ୍ କାର୍ଡ ପାଇନଥିଲେ। ଫଳରେ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଫର୍ମ ପୂରଣ ପରେ କଲେଜ କର୍ମଚାରୀ ଫର୍ମ ଯାଞ୍ଚ କରି ଫର୍ମ ପୂରଣ ତ୍ରୁଟି ଶୂନ୍ୟ ଥିବା କହିଥିଲେ। ତାପରେ ସଙ୍ଗୀତାଙ୍କ ଠାରୁ ଫି ବାବଦରେ ୧୩୫୦ ଟଙ୍କା କଲେଜ କର୍ମଚାରୀ ନେଇଥିଲେ କିନ୍ତୁ ମନି ରିସିପ୍ଟ ଦେଇ ନଥିଲେ।

ପରୀକ୍ଷା ପୂର୍ବ ଦିନ ଆଡମିଟ କାର୍ଡ ସଂଗ୍ରହ ପାଇଁ ସଙ୍ଗୀତା କଲେଜକୁ ଯାଇଥିଲେ। ୟୁନିଭର୍ସିଟିରୁ ଆଡମିଟ କାର୍ଡ ଆସିନାହିଁ ବୋଲି ସଙ୍ଗୀତାଙ୍କୁ କୁହାଯିବାରେ ଛାତ୍ରୀଜଣକ ଏହାର ପ୍ରତିବାଦ କରିଥିଲେ ହେଁ ସେତେବେଳେ କେହି କର୍ଣ୍ଣପାତ ହିଁ କରିନଥିଲେ। ପରେ ଛାତ୍ରୀ ଜଣକ ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରିଥିଲେ। ଅନ୍ୟପଟେ କଲେଜ ଅଧ୍ୟକ୍ଷ ତଦନ୍ତ ପରେ ଘଟଣାର ସତ୍ୟତା ସମ୍ପର୍କରେ ଜଣାପଡିବ ବୋଲି କହିଥିଲେ। କଲେଜ କର୍ମଚାରୀମାନେ କୌଣସି ଛାତ୍ରଛାତ୍ରୀଙ୍କୁ ରସିଦ ଦେଉ ନାହାନ୍ତି। ସଇଁନ୍ତଲା ପିଏସ୍ କଲେଜ ସମ୍ପୂର୍ଣ୍ଣ ଭାବେ ଏକ ସରକାରୀ ଅନୁଦାନପ୍ରାପ୍ତ କଲେଜ ହୋଇଥିବା ଦୃଷ୍ଟିରୁ ଫର୍ମପୂରଣ ସମୟରେ ଫି ବାବଦକୁ ୮୦୦ ଟଙ୍କା ମାତ୍ର ନିଆଯିବାର ନିୟମ ରହିଥିଲେ ମଧ୍ୟ ସମସ୍ତ ପରୀକ୍ଷାର୍ଥୀଙ୍କ ଠାରୁ କେଉଁ ଆଧାରରେ ୧୩୫୦ ଟଙ୍କା ଲେଖାଏଁ ଆଦାୟ କରାଯାଇଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ଉପଜିଲ୍ଲାପାଳଙ୍କ ସ୍ତରରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାନଯାଇ କଲେଜ କର୍ମଚାରୀଙ୍କୁ ନେଇ ଏକ ୪ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ଏହାଦ୍ବାରା ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରିବ ନାହିଁ। ଦୋଷୀଙ୍କୁ ଘଣ୍ଟ ଘୋଉଡାଇବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଏହା ଏକ ଚାଲ ବୋଲି ସାଧାରଣରେ ଆଲୋଚନା ହେଉଛି। ଏନେଇ କଲେଜର ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଲଙ୍କୁ ପଚରାଯିବାରୁ ଘଟଣା ସମ୍ପର୍କରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଜଣେ ଆଦିବାସୀ ଝିଅଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯାଇଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଆଦିବାସୀ ସଂଘ ପକ୍ଷରୁ ଦାବି ହୋଇଛି।