ଆମେରିକା ବାଣିଜ୍ୟ ସଚିବଙ୍କୁ ଭେଟିଲେ ନିର୍ମଳା, ଅର୍ଥନୈତିକ ସହଯୋଗ ମଜବୁତ ନେଇ ଆଲୋଚନା

ୱାଶିଂଟନ,ଏଜେନ୍ସି: ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ବାଣିଜ୍ୟ ସଚିବ ଗିନା ରାଇମୋଣ୍ଡୋଙ୍କୁ ଭେଟିଛନ୍ତି । ୱାଶିଂଟନ ଡିସିରେ ଏହି ଭେଟଘାଟ ହୋଇଛି । ଦ୍ବିପାକ୍ଷିକ ତଥା ବିଶ୍ବ ସ୍ତରରେ ଅର୍ଥନୈତିକ ସହଯୋଗକୁ ମଜବୁତ କରିବାର ଉପାୟ ଉପରେ ଭଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏପ୍ରିଲ 17ରୁ ଆମେରିକା ଗସ୍ତରେ ଅଛନ୍ତି ନିର୍ମଳା ସୀତାରମଣ । ବିଶ୍ବବ୍ୟାଙ୍କ, IMF, G-20 ଅର୍ଥମନ୍ତ୍ରୀ ସମ୍ମିଳନୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଯୋଗ ଦେଇଥିଲେ । ଏହି ସରକାରୀ ଗସ୍ତରେ ଆର୍ଥିକ ବୈଠକ ବ୍ୟତୀତ ଏକାଧିକ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ସୀତାରମଣ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।

ଆଇଏମଏଫ ସ୍ପ୍ରିଙ୍ଗ ମିଟରେ କ୍ରିପ୍ଟୋକରେନ୍ସିକୁ ନେଇ ସମଗ୍ର ବିଶ୍ବକୁ ସତର୍କ କରାଇଥିଲେ ଅର୍ଥମନ୍ତ୍ରୀ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ସ୍ପ୍ରିଙ୍ଗ ମିଟରେ କ୍ରିପ୍ଟୋକରେନ୍ସିର ଭୟଙ୍କର ପରିମାଣକୁ ନେଇ ସଚେତନ କରାଇଥିଲେ । ଏହି କରେନ୍ସି ମାଧ୍ୟମରେ ବେଆଇନ ଅର୍ଥ କରବାର ଆଶଙ୍କା ରହିଛି । ଏହା ସହିତ ଆତଙ୍କବାଦ କାର୍ଯ୍ୟକଳାପରେ ଏହାର ବହୁଳ ବ୍ୟବହାର ହୋଇପାରେ ବୋଲି କହିଥିଲେ ଅର୍ଥମନ୍ତ୍ରୀ ।

ଆଇଏମଏଫ ସ୍ପ୍ରିଙ୍ଗ ମିଟରେ ନିର୍ମଳା ସୀତାରମଣ କହିଥିଲେ କି, ସମସ୍ତ ଦେଶ ପାଇଁ କ୍ରିପ୍ଟୋକରେନ୍ସି ବିପଦ ପାଲଟିପାରେ । ଏହାର ନିୟନ୍ତ୍ରଣ ପାଇଁ ଏକ ଶକ୍ତ ଆଇନ ଆଣାଯିବା ଆବଶ୍ୟକ । ଗସ୍ତର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ଆଇଏମଏଫର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ‘ମନି ଆଟ ଏ କ୍ରସରୋଡ’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କାର୍ଯ୍ୟକ୍ରମରେ ସୀତାରମଣ ଡିଜିଟାଲ ଦୁନିଆରେ ଭାରତର ପ୍ରଦର୍ଶନ ଏବଂ ଗତ ଏକ ଦଶକରେ ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ସରକାରଙ୍କ ପ୍ରୟାସଗୁଡିତ ବିଷୟରେ ଆଲୋକପାତ କରିଥିଲେ । କୋଭିଡ ମହାମାରୀ ସତ୍ତ୍ବେ ଭାରତ ଦ୍ରୁତ ବିକାଶ ପଥରେ ଆଗେଇଛି ବୋଲି କହିଥିଲେ ଆଇଏଫଏମ ଜର୍ଜିଭା ।