ଶାରଜାହ,ଏଜେନ୍ସି: ସ୍ଥାନୀୟ ଶାରଜାହ କ୍ରିକେଟ୍ ଷ୍ଟାଡିୟମ୍ରେ ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ବାଂଲାଦେଶକୁ ୧୦୩ ରନ୍ରେ ହରାଇ ଭାରତୀୟ ଅଣ୍ଡର-୧୯ ଟିମ୍ ଅଷ୍ଟମ ଥର ପାଇଁ ଏସିଆ କପ୍ ଫାଇନାଲ୍ ଯୋଗ୍ୟତା ଅର୍ଜନ କରିଛି। ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୮ ୱିକେଟ୍ ହରାଇ ୨୪୩ ରନ୍ କରିଥିଲା । ଶେଖ୍ ରଶିଦ୍ ସର୍ବାଧିକ ଅପରାଜିତ ୯୦ ରନ୍ କରିଥିଲେ। ଜବାବରେ ବାଂଲାଦେଶ ୩୮.୨ ଓଭର୍ରେ ମାତ୍ର ୧୪୦ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ରବିବାରର ଫାଇନାଲ୍ରେ ଭାରତ ଶ୍ରୀଲଙ୍କାକୁ ଭେଟିବ। ଶ୍ରୀଲଙ୍କା ଅନ୍ୟ ସେମିଫାଇନାଲ୍ରେ ପାକିସ୍ତାନକୁ ୨୨ ରନ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି।
୨୪୪ ରନ୍ର ପିଛା କରୁଥିବା ବାଂଲାଦେଶର ପ୍ରାରମ୍ଭ ଖରାପ ଥିଲା। ଦଳ ମାତ୍ର ୫୯ ରନ୍ରେ ୫ଟି ୱିକେଟ୍ ହରାଇଥିଲା। ଦଳ ପକ୍ଷରୁ ଅରିଫୁଲ୍ ଇସ୍ଲାମ୍ ସର୍ବାଧିକ ୪୨ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହଫିଜୁଲ୍ ଇସ୍ଲାମ୍ ୨୬, ଅଧିନାୟକ ରକିବୁଲ୍ ହସନ୍ ୧୬, ଅଶିକୁର୍ ଜମାନ୍ ୧୫ ଓ ପ୍ରନ୍ତିକ ନାଓରୋଜ୍ ନବିଲ୍ ୧୨ ରନ୍ କରିଥିଲେ। ଭାରତ ପକ୍ଷରୁ ରାଜବର୍ଦ୍ଧନ ହଙ୍ଗାରଗେକର୍, ରବି କୁମାର, ରାଜ୍ ବାୱା, ଭିକ୍କି ଅସ୍ତୱାଲ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ନିଶାନ୍ତ ସିନ୍ଧୁ ଓ କୌଶଳ ତାମ୍ବେଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।
ଭାରତୀୟ ଇନିଂସ୍ରେ ଶେଖ୍ ରଶିଦ୍ଙ୍କ ୯୦ ରନ୍କୁ ଛାଡ଼ିଦେଲେ ଟିମ୍ର ଅନ୍ୟ କୌଣସି ଖେଳାଳି ବଡ଼ ଇନିଂସ୍ ଖେଳିପାରି ନଥିଲେ। ଅଧିନାୟକ ୟଶ୍ ଧୁଲ ୨୯ ବଲ୍ରେ ୨୬ ରନ୍ କରିଥିଲେ। ଲିଗ୍ ମ୍ୟାଚ୍ରେ ଉନ୍ନତ ପ୍ରଦର୍ଶନ କରିଥିବା ରାଜ୍ ବାୱା ଓ ରାଜବର୍ଦ୍ଧନ ହେଙ୍ଗରଗେକର ମଧ୍ୟ କୌଣସି କମାଲ୍ ଦେଖାଇ ପାରିନଥିଲେ। ବାୱା ୪୦ ବଲ୍ରେ ୨୩ ଓ ରାଜବର୍ଦ୍ଧନ ୭ ବଲ୍ରେ ୧୬ ରନ୍ କରିଥିଲେ। ମ୍ୟାଚ୍ରେ ଦଳର ପ୍ରଥମ ୱିକେଟ୍ ଜବରଦସ୍ତ ଫର୍ମରେ ଥିବା ହରନୁର୍ ସିଂହଙ୍କ ରୂପରେ ପଡ଼ିଥିଲା। ହରନୁର୍ ୨୯ ବଲ୍ରେ ୧୫ ରନ୍ କରିଥିଲେ। ଏହା ମଧ୍ୟରେ ଦୁଇଟି ଚୌକା ସାମିଲ ଥିଲା। ତାଙ୍କ ଆଉଟ୍ ପରେ ଓପ୍ନର୍ ଅଙ୍ଗକୃଷ ରଘୁବଂଶୀ ମଧ୍ୟ ବଡ଼ ଇନିଂସ୍ ଖେଳିନପାରି ୧୬ ରନ୍ରେ ଆଉଟ୍ ହୋଇଥିଲେ। ନିଶାନ୍ତ ସିନ୍ଧୁଙ୍କ ରୂପରେ ଦଳକୁ ତୃତୀୟ ଧକ୍କା ଲାଗିଥିଲା। ସେ ୧୫ ବଲ୍ ଖେଳି ମାତ୍ର ୫ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ଅଧିନାୟକ ରକିବୁଲ୍ ହସନ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଯୁବ ଖେଳାଳିମାନେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ପ୍ରଥମ ମ୍ୟାଚ୍ରେ ୟୁଏଇକୁ ଏକତରଫା ଭାବେ ୧୫୪ ରନ୍ରେ ହରାଇଥିଲେ। ତେବେ ପରବର୍ତ୍ତୀ ମ୍ୟାଚ୍ରେ ଟିମ୍କୁ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଶେଷ ମୁହୂର୍ତ୍ତରେ ୨ ୱିକେଟ୍ରେ ପରାଜିତ ହେବାକୁ ପଡ଼ିଥିଲା। ଏହାପରେ ଟିମ୍ ପ୍ରତ୍ୟାବର୍ତ୍ତନ କରି ଆଫଗାନିସ୍ତାନକୁ ୪ ୱିକେଟ୍ରେ ହରାଇଥିଲା। ଲିଗ୍ ପର୍ଯ୍ୟାୟରେ ଟିମ୍ ୩ଟି ମ୍ୟାଚ୍ରୁ ଦୁଇଟିରେ ଜିତି ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା।