ଦୁରାରୋଗ୍ୟ ଯନ୍ତ୍ରଣା ସହି ନପାରି ଶିକ୍ଷକଙ୍କ ଆତ୍ମହତ୍ୟା

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ଜଣେ ଶିକ୍ଷକ ଦୁରାରୋଗ୍ୟ ଯନ୍ତ୍ରଣା ସହ୍ୟ କରିନପାରି ଆତ୍ମହତ୍ୟା କରିଛନ୍ତି। ପୁଲିସ ସୂଚନା ଅନୁସାରେ ରଘୁନାଥପୁର ଗ୍ରାମର ତନୁ ଚନ୍ଦ୍ର ସେଠୀଙ୍କ ପୁଅ ଲୁଲୁ ସେଠୀ(୨୬) ଗାଁ’ ସ୍କୁଲରେ ଶିକ୍ଷକତା କରୁଥିବା ବେଳେ ଗତ କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ। ତେବେ ଏଥିସହ ସେ ଅନ୍ୟନ୍ୟ ରୋଗରେ ମଧ୍ୟ ପୀଡ଼ିତଥିଲେ।

ରୋଗ ଯନ୍ତ୍ରଣାରୁ ମୁକ୍ତି ପାଇଁ ବହୁ ଔଷଧ ଖାଉଥିଲେ ହେଁ ତାଙ୍କୁ ଯନ୍ତ୍ରଣାରୁ ଉପଶମ ମିଳିନଥିଲା। ଗତକାଲି ରାତିରେ ପରିବାର ଲୋକେ ଖାଇସାରି ଶୋଇ ପଡ଼ିଥିବା ବେଳେ ବିଳମ୍ୱିତ ରାତ୍ରିରେ ଲୁଲୁ ନିଜ ଘର ଛାତ କଡ଼ିରେ ବେକରେ ଚାଦର ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆଜି ସକାଳେ ଲୁଲୁ ନିଜ କୋଠରୀ କବାଟ ନଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି କଠୋରୀ ମଧ୍ୟକୁ ପଶିବାରୁ ସେ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ।

ପରିବାର ଲୋକେ ଏ ସମ୍ପର୍କରେ ବାରକୋଟ ଥାନାରେ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।