ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ୨୨ ତାରିଖରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଉଡ଼ାଣ ଉତ୍ସବ ପାଳନ କରାଯିବ। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମୁଖ୍ୟଅତିଥି ଅତିଥି ରୂପେ ଯୋଗ ଦେବେ। ମନ୍ତ୍ରୀଙ୍କ ସହ ବିଭାଗର ରାଜ୍ୟମନ୍ତ୍ରୀ ଜେନେରାଲ ଭି.କେ.ସିଂ, ବେସାମରିକ ବିମାନ ଚଳାଚଳ ବିଭାଗର ସଚିବ ରାଜୀବ ବଂଶଲ, ଯୁଗ୍ମ ସଚିବ ଉଷା ପାଢ଼ୀ, ଭାରତୀୟ ବିମାନସେବା ପ୍ରାଧିକରଣର ଅଧ୍ୟକ୍ଷ ସଞ୍ଜୀବ କୁମାର ପ୍ରମୁଖ ଉପସ୍ଥିତ ରହିବେ। ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଯୋଜନା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସାଂସଦ ସୁରେଶ ପୂଜାରୀ ଓ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ବିମାନବନ୍ଦର କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଆରସିଏସ୍ ଉଡ଼ାଣ ଯୋଜନାରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ସଫଳ ପ୍ରଦର୍ଶନ କରିିଥିବାରୁ ଏହାକୁ ନୋଡାଲ ବିମାନ ବନ୍ଦର ଭାବେ ମନ୍ତ୍ରଣାଳୟ ଗ୍ରହଣ କରିବା ସହ ଏଠାରେ ଉଡ଼ାଣ ଉତ୍ସବର ଭବ୍ୟ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରୁ ଆରସିଏସ୍ ଉଡ଼ାଣ ଯୋଜନାରେ ନୂଆ ରୁଟରେ ବିମାନ ସେବା ଆରମ୍ଭ କରାଯିବା ସହ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ ବିମାନବନ୍ଦର ଏବଂ ଏୟାରଲାଇନ୍ସକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।