ସ୍ୱାଧୀନତା ଦିବସରେ ଗ୍ରେନେଡ ମାଡ କରିଥିବା ଦୁଇ ଆତଙ୍କୀଙ୍କୁ ଧରିଲା ସୁରକ୍ଷାବଳ

ଶ୍ରୀନଗର,ଏଜେନ୍ସି: ସ୍ବାଧୀନତା ଦିବସରେ ଘାଟିରେ ଗ୍ରେନେଡ ମାଡ କରିଥିବା ଦୁଇ ଆତଙ୍କୀଙ୍କୁ ଗିରଫ କରିଛି ସୁରକ୍ଷାବଳ । ସ୍ବାଧୀନତା ଦିବସରେ କାଶ୍ମୀରର ଗୋପାଲପୁରା ଓ ବଡଗାମରେ ଗ୍ରେନେଡ ମାଡ ହୋଇଥିଲା । ଏଥିରେ ଜଣେ ସ୍ଥାନୀୟ ସଂଖ୍ୟାଲଘୁ ଶ୍ରେଣୀର ବ୍ୟକ୍ତି ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଏବେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି । ତେବେ ଉକ୍ତ ଘଟଣାକୁ ରୂପ ଦେଇଥିବା ଦୁଇ ଆତଙ୍କୀଙ୍କୁ ସୁରକ୍ଷାବଳ ଗିରଫ କରିବାରେ ସଫଳତା ପାଇଛି । ଗିରଫ ଦୁଇ ଆତଙ୍କୀ ସାହିଲ ଅହମ୍ମଦ ଓ୍ବାନୀ ଓ ଅଲଫତ ଫାରୁକ ବୋଲି ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି ।

ଏହି ଦୁଇ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ହେବ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ଥିଲେ । ସ୍ବାଧୀନତା ଦିବସ ଆକ୍ରମଣ ପରେ ଉଭୟଙ୍କୁ ଚିହ୍ନଟ କରାଯିବା ସହ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସର ଟିମ । ତେବେ ଘଟଣା ପର ଠାରୁ ଫେରାର ଥିବା ଏହି ଦୁଇ ଆତଙ୍କୀଙ୍କୁ ଇନପୁଟ ସୂଚନା ଆଧାରରେ ଆଜି ଧରାଯାଇଛି । ଏମାନଙ୍କୁ ଏବେ ଜେରା ଜାରି ରହିଛି । ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ଚେଷ୍ଟା କରିବ ।

ସ୍ବାଧୀନତା ଦିବସ ସମାରୋହ ପାଇଁ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ବିଭିନ୍ନ ସ୍ଥାନରେ ଡ୍ରୋନ, ସ୍ନାଇପର ସହ ପୋଲିସ କର୍ମୀମାନେ ସାଧା ପୋଷାକରେ ମୁତୟନ ହୋଇଥିଲା । ଏହାସତ୍ତ୍ବେ ଶନିବାର କୁଲଗାମରେ ଆତଙ୍କୀ ଗ୍ରେନେଡ୍ ମାଡ କରିଥିଲେ । ରଜୌରୀ ଜିଲ୍ଲାରେ ସେନା କ୍ୟାମ୍ପ ଉପରକୁ ଆକ୍ରମଣର ଗୋଟିଏ ଦିନ ପରେ ପୋଲିସ ଟିମ୍ ଉପରେ ଏହି ଆକ୍ରମଣ ହୋଇଥିଲା । ସେନା କ୍ୟାମ୍ପ ଉପରେ ହୋଇଥିବା ଆତଙ୍କୀ ହମ୍‌ଲାରେ ୪ ଜଣ ଯବାନ ଶହୀଦ ହୋଇଥିଲେ ।