ଖେଳିବା ପାଇଁ ପୁରୁଣା ଡ଼ଙ୍ଗା ଗୋଟାଇବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ପୁରୁଣା ଡ଼ଙ୍ଗା ଗୋଟାଇବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଜଅଁରା ବାରିମୂଳ ଗାଁରେ। ଯାହାକୁ ନେଇ ସାରା ଗାଁରେ ଦୁଃଖର ବାତାବରଣ ଖେଳିଯାଇଛି। ମୃତକଙ୍କ ମଧ୍ୟରୁ ଜଣେ ୩ ବର୍ଷର ହୋଇଥିବା ବେଳେ ଅନ୍ୟ ଜଣେ ୨ ବର୍ଷର ହୋଇଥିବା ଜଣାପଡ଼ିଛି। ମୃତକ ଦୁଇ ଝିଅଙ୍କ ନାଁ ହେଉଛି ଶୁଭସ୍ମିତା ମଲିକ ଓ ଦେବସ୍ମିତା ମଲିକ୍। ସ୍ଥାନୀୟ ଲୋକଙ୍କ ଦ୍ୱାରା ଯୋରରୁ ଉଭୟଙ୍କ ମୃତ ଦେହ ଠାବ କରାଯାଇଛି।

ଗତ ଶୁକ୍ରବାର ଦିନ କାର୍ତ୍ତିକ ପୁର୍ଣ୍ଣିମା ଥିବା ବେଳେ ଯୋରରେ ଲୋକମାନେ ଡ଼ଙ୍ଗା ଭସାଇଥିଲେ। ଆଜି ଖେଳିବା ପାଇଁ ଯୋରରେ ଭାସୁଥିବା ପୁରୁଣା ଡ଼ଙ୍ଗାକୁ ଆଣିବାକୁ ଯିବା ସମୟରେ ଏହି ଅଘଟଣ ଘଟିଛି। ଘର ଲୋକ ମଧ୍ୟ ପିଲା ଖେଳୁଥିବାର ଭାବି ବହୁ ସମୟ ପର୍ଯ୍ୟନ୍ତ ଖୋଜିନଥିଲେ ପରେ ଗ୍ରାମବାସୀଙ୍କ ଦ୍ୱାରା ମୃତ ଦେହକୁ ଚିହ୍ନଟ କରାଯାଇ ତାଙ୍କ ଘରେ ସୂଚନା ଦିଆଯାଇଥିଲା।