ଦେବଗଡ଼,ଏନ୍ଏନ୍ଏସ୍: କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଝରାଡିହି ଗ୍ରାମରେ ଜଣେ ୧୯ ବର୍ଷୀୟ ବିବାହିତା ମହିଳାଙ୍କୁ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ନେଇ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ ଗତ ୧୧ ତାରିଖ ଦିନ ପ୍ରାୟ ୧୨ଟା ୩୦ରେ ଝରାଡିହି ଗ୍ରାମରେ ଜଣେ ୧୯ ବର୍ଷୀୟ ବିବାହିତା ମହିଳା ତାଙ୍କ ଘରଠାରୁ କିଛି ଦୁରରେ ଥିବା ଏକ ଆମ୍ବ ଗଛ ମୂଳକୁ ଯାଇଥିବା ବେଳେ ଉକ୍ତ ଗ୍ରାମର ଚକ୍ରଧର ମାଝୀଙ୍କ ପୁଅ ଶୁକଦେବ ମାଝୀ ତାଙ୍କୁ ଏକୁଟିଆ ପାଇ ଭଙ୍ଗା ବିୟର ବୋତଲରେ ହତ୍ୟା ଧମକ ଦେଇ ବଳପୂର୍ବକ ଦୁଷ୍କର୍ମ କରିଥିଲେ। ଏ ନେଇ ପୀଡିତା ପରିବାର ଲୋକଙ୍କ ସହ ଆଲୋଚନା ପରେ ଗତକାଲି ସନ୍ଧ୍ୟାରେ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ସେହିପରି ଅନ୍ୟ ଏକ ମାମଲାରେ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଲଗା ଗ୍ରାମରେ ନିଜ ମାମୁଁ ଘରେ ରହି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷୀୟା ନାବାଳିକାକୁ ଉକ୍ତ ଗ୍ରାମର ପ୍ରଫୁଲ୍ଲ ନାଏକଙ୍କ ପୁଅ ବଳିଆ ନାଏକ(୧୯) ଗତ ୧୪ ତାରିଖ ଅପରାହ୍ନରେ ବାଇକ ଯୋଗେ ଖଇରପାଲି ଫାଣ୍ଡି ଅନ୍ତର୍ଗତ ସଙ୍ଗାପଶି ଗ୍ରାମକୁ ନେଇଯାଇଥିଲା। ସେଠାରେ ଗୋଟିଏ ରାତି ରହିବା ପରେ ତାପରଦିନ ନାବାଳିକାକୁ ତାଙ୍କ ଘରେ ଛାଡିଥିଲା। ଘଟଣା ସମ୍ପର୍କରେ ନାବାଳିକାର ପିତା ଓ ମାମୁଁ ଉକ୍ତ ଯୁବକକୁ ପଚରା ଉଚୁରା କରୁଥିବା ବେଳେ ଅଭିଯୁକ୍ତ ବଳିଆର ସମ୍ପର୍କୀୟ ଅମର ନାଏକ ଓ ପାଞ୍ଚାଳୀ ନାଏକ ଉଭୟଙ୍କୁ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିବା ସହ ତାଙ୍କ ଘର ବାଡରେ ନିଆଁ ଲଗାଇ ଦେଇଥିଲେ। ଆକ୍ରମଣରେ ନାବାଳିକାର ପିତାଙ୍କ ମୁଣ୍ଡ ଫାଟି ଗଭୀର କ୍ଷତ ସୃଷ୍ଟି ହେବା ସହ ସେ ଗୁରୁତର ହୋଇଥିଲେ। ଏ ନେଇ ଗତକାଲି ନାବାଳିକାଙ୍କ ପିତା କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ କୁଣ୍ଢେଇଗୋଳା ଥାନା ପୁଲିସ ଦୁଷ୍କର୍ମ ଓ ପୋକ୍ସ ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୁଖ୍ୟ ଅଭିଯୁକ୍ତ ବଳିଆକୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।