ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ହାଜର ହେଲେ ଟ୍ୱିଟର ପ୍ରତିନିଧି

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଆଇଟି ଆଇନକୁ ପାଳନ କରିବାରେ ଟ୍ୱିଟର କର୍ତ୍ତୃପକ୍ଷ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବ ନିର୍ଦ୍ଦେଶ ମୁତାବକ ଶୁକ୍ରବାର ସଂସଦୀୟ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ଟ୍ୱିଟର ପ୍ରତିନିଧି ହାଜର ହୋଇ ବକ୍ତବ୍ୟ ରଖିଛନ୍ତି। କଂଗ୍ରେସ ସାଂସଦ ଶଶୀ ଥରୁର ଏହି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷତା କରୁଥିବାବେଳେ ଟ୍ୱିଟର ପ୍ରତିନିଧିଙ୍କ ଜବାବକୁ ରେକର୍ଡ କରାଯାଇଥିଲା।

ଅନ୍ୟ ସୋସିଆଲ ମିଡ଼ିଆ ଏହି ନୂଆ ଆଇଟି ନିୟମ ପାଳନ କରୁଥିବାବେଳେ ଟ୍ୱିଟର ଏକମାତ୍ର ବ୍ୟତିକ୍ରମ ପାଲଟିଛି। କେନ୍ଦ୍ରର ଚୂଡାନ୍ତ ନୋଟିସ ସତ୍ତ୍ୱେ କୌଣସି ସକାରାତ୍ମକ ଜବାବ ନମିଳିବାରୁ ଷ୍ଟାଣ୍ଡିଂ କମିଟି ପକ୍ଷରୁ ସମନ ଜାରି କରାଯାଇଥିଲା। ଟ୍ୱିଟର ପ୍ଲାଟଫର୍ମକୁ କେତେକ ଉପଭୋକ୍ତା ଅପବ୍ୟବହାର କରୁଥିବାରୁ ଏଥିପ୍ରତି ସତର୍କ ଦୃଷ୍ଟି ଦେବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିଲା। ଗତମାସରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରେ ସାମୟିକଭାବେ ‘ବ୍ଲୁ ଟିକ୍ ଭେରିଫିକେସନ ମାର୍କ’ ହଟାଇ ଦିଆଯାଇଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶୁକ୍ରବାର ଟ୍ୱିଟର ଇଣ୍ଡିଆର ପବ୍ଲିକ୍ ପଲିସି ମ୍ୟାନେଜର ସଗୁଫ୍ତା କାମ୍ରାନ ଓ ଆଇନ ପରାମର୍ଶଦାତା ଆୟୁଷୀ କପୁର ଷ୍ଟାଣ୍ଡିଂ କମିଟି ଆଗରେ ହାଜର ହୋଇଥିଲେ।