ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାର ଟିର୍ଲି ଅମ୍ବାଗୁଡ଼ାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଯକ୍ଷ୍ମା ରୋଗ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାନମସିଗାଁ ଡାକ୍ତରଖାନାର ପିପିଏମ କୋଡିନେଟର ମାନସ କୁମାର ପ୍ରହରାଜ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଯକ୍ଷ୍ମା ରୋଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତାଭାବେ ମେଡିକାଲ କର୍ମଚାରୀ ମାନସ ରଞ୍ଜନ ପ୍ରହରାଜ ଓ ଶ୍ରୀନିବାସ ପଟ୍ଟନାୟକ ଯୋଗଦେଇ ଏହାର ଲକ୍ଷଣ ତଥା ନିରାକରଣ ଉପରେ ସବିଶେଷ ଆଲୋଚନା କରିଥିଲେ । ରୋଗକୁ ଘୃଣା କର ରୋଗୀକୁ ନୁହେଁ ବୋଲି ନିଜ ଭାଷଣରେ ଅଧ୍ୟକ୍ଷ ଡା. ବେହେରା ପିଲାଙ୍କୁ ବୁଝାଇଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ସମସ୍ତ ସ୍ୱେଚ୍ଛାସେବୀ ନିଜ ଗ୍ରାମକୁ ଯେପରି ଯକ୍ଷ୍ମାମୁକ୍ତ କରିବେ ସେଥିପ୍ରତି ଦୃଢ଼ ସଙ୍କଳ୍ପ ନେବାକୁ ଆହ୍ୱାନ କରିଥିଲେ । ପରେ ସ୍ୱେଛାସେବୀମାନେ ନିଜର ପୋଷ୍ୟ ଗ୍ରାମ ଟିର୍ଲି ଆମ୍ବାଗୁଡ଼ାକୁ ଏକ ରାଲିରେ ଯାଇ ଗ୍ରାମବାସୀଙ୍କୁ ସଚେତନ କରିଥିଲେ । ଖାଦ୍ୟ ପ୍ରତି ଯତ୍ନବାନ ହୋଇ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ସେବନରେ ଯେପରି ଅବହେଳା ନକରନ୍ତି ସେଥିପ୍ରତି ସତର୍କ କରାଇଥିଲେ । ଏହି ରାଲିରେ ୫୦ରୁ ଅଧିକ ସ୍ୱେଛାସେବୀ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଇଂରାଜୀ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ମନ୍ମଥ କୁମାର ମାଝୀ ଧନ୍ୟବାଦ ଦେଇଥିଲେ।