ଟ୍ରମ୍ପଙ୍କ ଅଭିଭାଷଣ କପିକୁ ଚିରିଦେଲେ ବାଚସ୍ପତି

ୱାଶିଂଟନ୍,ଏଜେନ୍ସି : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଚସ୍ପତି ନାନସି ପେଲୋସିଙ୍କ ସହ କରମର୍ଦ୍ଦନ ନକରିବାରୁ ସେ (ପେଲୋସି) ତାଙ୍କ ଅଭିଭାଷଣ କପିକୁ ଚିରି ଦେଇଥିଲେ। ପେଲୋସି ଅଭିଭାଷଣ କାଗଜ ଚିରିବା ପରେ ଟ୍ରମ୍ପ ତାହା ଦେଖିପାରି ନଥିଲେ। ପରେ ବାଚସ୍ପତିଙ୍କୁ ଗଣମାଧ୍ୟମ ପ୍ରତିନିଧି କାଗଜ ଚିରିବା ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କହିଥିଲେ, ଟ୍ରମ୍ପଙ୍କ ଅଭିଭାଷଣ ନିମ୍ନମାନର ଥିଲା। ଉଲ୍ଲେଖଯୋଗ୍ୟ ପେଲୋସି ଟ୍ରମ୍ପଙ୍କର ଜଣେ ତୀବ୍ର ସମାଲୋଚକ ଭାବେ ଜଣାଶୁଣା।

ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଭିବାଦନ ଜଣାଇବାକୁ ପେଲୋସି ତାଙ୍କ ଆଡ଼କୁ ହାତ ବଢ଼ାଇଥିଲେ। କିନ୍ତୁ ଟ୍ରମ୍ପ ସେହି ସମୟରେ ତାଙ୍କ ଭାଷଣର ଗୋଟିଏ ନକଲ ପେଲୋସିଙ୍କୁ ଧରାଇଦେଇ ତାଙ୍କ ସହ କରମର୍ଦ୍ଦନ କରିନଥିଲେ। ଟ୍ରମ୍ପଙ୍କର ଏଭଳି ଆଚରଣ ପେଲୋସିଙ୍କୁ ଖୁବ୍ ବାଧିଥିଲା। ସେ ରାଷ୍ଟ୍ରପତିଙ୍କ ପଛପଟେ ଚୁପ୍ଚାପ୍ ବସିଥିଲେ। ଅଭିଭାଷଣ ଶେଷରେ ରିପବ୍ଲିକାନ୍ ସଦସ୍ୟମାନେ କରତାଳି ଦେବା ସମୟରେ ପେଲୋସି ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଭିଭାଷଣ କପିକୁ ଚିରି ଦେଇଥିଲେ। ପରେ ୭୯ ବର୍ଷୀୟ ପେଲୋସି ଟ୍ୱିଟ୍ କରି କହିଥିଲେ, କାର୍ଯ୍ୟ ହାସଲ ନହେବା ପର୍ଯ୍ୟନ୍ତ ଡେମୋକ୍ରାଟ୍ମାନେ ବନ୍ଧୁତ୍ୱର ହାତ ବଢ଼ାଇବାରୁ ନିବୃତ ହେବେନାହିଁ।

ଲ୍ଲେଖଯୋଗ୍ୟ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କର ୩ ବର୍ଷ କାର୍ଯ୍ୟକାଳ ସମ୍ପର୍କରେ ଷ୍ଟେଟ୍ ଅଫ୍ ଦ ୟୁନିଅନ୍ ଆଡ୍ରେସ୍ରେ କହିଥିଲେ, ରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ଆମେରିକାର ଅଭିବୃଦ୍ଧି ଦ୍ରୁତଗତିରେ ବୃଦ୍ଧି ପାଇଛି। ଆମେରିକାବାସୀ କେବେ ବି ଏଭଳି ଭାବିନଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପୁଣିଥରେ ବିଜୟୀ ହେବାପାଇଁ ପାର୍ଲାମେଣ୍ଟର ଉଭୟ ସଦନକୁ ସମ୍ବୋଧନ କରି ଟ୍ରମ୍ପ କହିଥିଲେ, ଆମେରିକାକୁ ମଜଭୁତ ଓ ପୂର୍ବଅପେକ୍ଷା ଆହୁରି ଦୃଢ଼ୀଭୂତ କରିବା ପାଇଁ ଏବେ ସମୟ ଆସିଛି। ଇତିମଧ୍ୟରେ ନାନସି ପେଲୋସି ଗଣମାଧ୍ୟମକୁ କହିଛନ୍ତି, ଟ୍ରମ୍ପଙ୍କ ଅଭିଭାଷଣ ଏତେ ଖରାପ ଥିଲା ଯେ ଏହା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିବାର ଅନ୍ୟ କୌଣସି ପନ୍ଥା ନଥିଲା। ତେଣୁ ସେ ଅଭିଭାଷଣ କପିକୁ ଚିରି ଦେଇଥିଲେ।