ହସ୍ପିଟାଲରୁ ଫେରିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୁସ୍ଥ ହେବାପରେ ବୁଧବାର ସକାଳେ ସାର୍ ଗଙ୍ଗାରାମ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ତାଙ୍କୁ ଗତ ୨ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ପାକସ୍ଥଳୀରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପାକସ୍ଥଳୀରେ ସଂକ୍ରମଣ ହୋଇଥିଲା ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବିଏସ୍ ରାଣା କହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରି ଥିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ସେ କହିଛନ୍ତି। ଇତିମଧ୍ୟରେ ହସ୍ପିଟାଲରେ ତାଙ୍କର କେତେକ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ହସ୍ପିଟାଲରେ ସୋନିଆଙ୍କ ଦେଖାଶୁଣା କରିଥିଲେ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ବହୁ କଂଗ୍ରେସ ନେତା ମଧ୍ୟ ହସ୍ପିଟାଲ୍କୁ ଯାଇ ଦଳର ଅଧ୍ୟକ୍ଷାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।