ଟ୍ରମ୍ପଙ୍କ ୟୁଟୁବ୍ ଚାନେଲରୁ ହଟିଲା ଭିଡିିଓ

ୱାଶିଂଟନ୍,ଏଜେନ୍ସି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୟୁଟୁବ୍ ଚାନେଲରେ ପୋଷ୍ଟ କରାଯାଇଥିବା କିଛି ଭିଡିଓକୁ ହଟାଇ ଦେଇଛି ୟୁଟୁବ୍। ଏହାଛଡ଼ା ଆମେରିକା ନିର୍ବାଚନ ଫଳାଫଳକୁ ନେଇ ୯୦ଦିନ ମଧ୍ୟରେ ତିନିଥର ଭୁଲ୍ ତଥ୍ୟ ପ୍ରଚାର କରୁଥିବା ୟୁଟ୍ୟୁବ୍ ଚାନେଲକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଟଫର୍ମରୁ ହଟାଇ ଦିଆଯିବ ବୋଲି ୟୁଟୁବ୍ ପକ୍ଷରୁ ଚେତାବନୀ ଦିଆଯାଇଛି। ବୁଧବାର ଟ୍ରମ୍ପଙ୍କ ସମର୍ଥକଙ୍କ ଦ୍ୱାରା ୟୁଏସ୍ କ୍ୟାପିଟଲ୍ ହିଂସା ପରେ ୟୁଟୁବ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଟ୍ରମ୍ପଙ୍କ ୟୁଟୁବ୍ ଚାନେଲରେ ୨.୬୮ ମିଲିୟନ୍ ସମର୍ଥକ ଅଛନ୍ତି। ଟ୍ରମ୍ପଙ୍କ ଚାନେଲରେ ଆମେରିକା ନିର୍ବାଚନକୁ ନେଇ ଭ୍ରାନ୍ତି ଉତ୍ପନ୍ନ କରିବା ଭଳି ତଥ୍ୟ ଥିବା ଭଳି ଭିଡିଓ ଅପଲୋଡ ହୋଇଥିବାରୁ, ଭିଡିଓଗୁଡ଼ିକୁ ହଟାଇ ଦିଆଯାଇଥିବା ଗୁଗୁଲ୍ ମାଲିକାନାରେ ଥିବା ୟୁଟୁବ୍ ପକ୍ଷରୁ କୁହାଯାଇଛି। କ୍ୟାପିଟଲ୍ ହିଂସା ପରେ ଗୁରୁବାର ଟ୍ରମ୍ପଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ସାଇଟ୍କୁ ଅନିଶ୍ଚିତକାଳ ପାଇଁ ବନ୍ଦକରି ଦିଆଯାଇଛି। ଏଥିସହ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଏକ ପୋଷ୍ଟ ମାଧ୍ୟମରେ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଥିଲେ।