ଟ୍ରମ୍ପଙ୍କ ଦୁଇ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ଚଳିତ ମାସ ୨୪ ଓ ୨୫ ତାରିଖରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏ ନେଇ ନେଇ ହ୍ୱାଇଟହାଉସ ପକ୍ଷରୁ ଅଫିସିଆଲ ଟୁଇଟର ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତିଙ୍କ ଏହି ଗସ୍ତ ଭାରତ ପାଇଁ ବେଶ ଗୁରୁତ୍ୱବହନ କରୁଛନ୍ତି ବୋଲି କୁହାଯାଉଛି। ଏହି ଗସ୍ତ ଦ୍ୱାରା ୨ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହେବ। ଏହି ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନି ତଥା ଆମେରିକାର ପ୍ରଥମ ମହିଳା ମେଲେନିୟା ଟ୍ରମ୍ପ ବି ଭାରତ ଗସ୍ତରେ ଆସିବେ। ନୂଆଦିଲ୍ଲୀ ପରେ ଉଭୟଙ୍କର ଗୁଜୁରାଟ ଯିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି। ତେବେ ଟ୍ରମ୍ପଙ୍କ ଗୁଜୁରାଟ ଗସ୍ତ ଖବର ଚର୍ଚ୍ଚାକୁ ଆସିବା ପରେ ଗୁଜୁରାଟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଅହମ୍ମଦାବାଦ ମୋଟେରା ସ୍ଥିତ ସର୍ଦ୍ଦାର ପଟେଲ ଷ୍ଟାଡିୟମକୁ ଟ୍ରମ୍ପ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ଷ୍ଟାଡିୟମ ଦୁନିଆର ସବୁଠୁ ବଡ ଷ୍ଟାଡିୟମ । ଗତବର୍ଷ ଆମେରିକା ଟେକ୍ସାସରେ ହାଓଡି ମୋଦି କାର୍ୟ୍ୟକ୍ରମରେ ମୋଦି ଯୋଗଦେଇଥିଲେ । ଏହି କ୍ରମେ ଟ୍ରମ୍ପଙ୍କ ଭାରତ ଗସ୍ତ ଅବସରରେ କେମଚ୍ଛୋଁ ଟ୍ରମ୍ପ କାର୍ୟ୍ୟକ୍ରମର ଆୟୋଜନ କରାଯିବ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଦୁଇ ଦୁଇ ଥର ଭାରତ ଗସ୍ତରେ ଆସିଥିଲେ । ଓବାମା ୨୦୧୦ ଓ ୨୦୧୫ରେ ଭାରତ ଗସ୍ତରେ ଆସିଥିଲେ ।

ତେବେ ଆମେରିକା ଓ ଭାରତ ମଧ୍ୟରେ ଉତମ ସମ୍ପର୍କ ସବୁଦିଗରୁ ଭାରତ ପାଇଁ ବେଶ ସହାୟକ ହେବ । ବିଶେଷ କରି ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆମେରିକାର ସହଯୋଗ ମିଳିବ । ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଭାରତ ତାର ବାୟୁସେନାର ଶକ୍ତି ବୃଦ୍ଧି କରିବାକୁ ନିଷ୍ପତି ନେଇଛି । ଏଥିପାଇଁ ଆମେରିକାଠୁ ଇଂଟିଗ୍ରେଟେଡ ଏୟାର ଡିଫେନ୍ସ ୱିପନ ସିଷ୍ଟମ କିଣିବ ଭାରତ । ୧.୯ ବିଲିୟନ ଡଲାରର ଏହି ଚୁକ୍ତିକୁ ଆମେରିକା ମଂଜୁରି ଦେଇସାରିଛି । ଏଡି ୱିପନ ସିଷ୍ଟିମ ପାଇଁ ୧.୮୬୭ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ ।