ବିପୁଳ ମାତ୍ରାରେ ଗଞ୍ଜେଇ ସହ ଟ୍ରକ ଜବତ: ୪ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଲକାନଗିରି ଜିଲ୍ଲାର ମୋଟୁ ଥାନା ପୁଲିସ ଚଢ଼ଉ କରି ୧୧୯ କିଲୋ ୬ଶହ ଗ୍ରାମ ଗଞ୍ଜେଇ ସହ ଏକ ଟ୍ରକ ଜବତ କରିଛି। ଏଥିସହ ଏଥିରେ ସମ୍ପୃକ୍ତ ୪ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ମୋଟୁ ଥାନା ଭାରପ୍ରାପ୍ତ ନିରୀକ୍ଷକ ରଘୁନାଥ ମାଝିଙ୍କ ନେତୃତ୍ୱରେ ଥାନା କର୍ମଚାରୀମାନେ ଏମପିଭି-୧୨୮ ଗ୍ରାମ ନିକଟରେ ଗାଡ଼ିର କାଗଜପତ୍ର ଯାଞ୍ଚ କରୁଥିବା ସମୟରେ ଏମଭି-୭୯ ପଟୁ ଏକ ଟ୍ରକ ନଂ-ଓଆର-୧୦ଜି-୦୦୪୧ ଆସୁଥିବା ଦେଖି ଅଟକାଇଥିଲେ।

ଯାଞ୍ଚ କରିବା ବେଳେ ଟ୍ରକରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ସଙ୍ଗେ ସଙ୍ଗେ ଗଞ୍ଜେଇ ବୋଝେଇ ଟ୍ରକ, ୧୫ ଶହ ଟଙ୍କା, ୪ ଟି ମୋବାଇଲ ଫୋନ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗରିଫ କରିଥିଲେ। ଓଜନ କରିବା ପରେ ଏଥିରେ ୧୧୯ କିଲୋ ୬ଶହ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଛି। ଗିରଫମାନେ ହେଲେ କାଲିମେଳା ଥାନା ଅନ୍ତର୍ଗତ ଭାସପା କଲୋନୀର ଶଶୀ ଭୂଷଣ ଘୋଷ(୩୯), ମୋଟୁ ଥାନା ଅନ୍ତର୍ଗତ ଏମପିଭି-୮୨ ଗ୍ରାମର ଅମୀୟ ଭଦ୍ର(୩୨), ଏମପିଭି-୪୧ ଗ୍ରାମର ଅମ୍ରିତ ବିଶ୍ୱାସ(୨୩) ଓ ମିଥୁନ ମଣ୍ଡଳ(୨୯) ବୋଲି ଜଣାପଡ଼ିଛି। ମୋଟୁ ଥାନା କେସ ନମ୍ବର-୩୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ପ୍ରହଲ୍ଲାଦ ସହାଇ ମୀନା ପ୍ରକାଶ କରିଛନ୍ତି।