ଅଗରତାଲା,ଏଜେନ୍ସି: ପାଖେଇ ଆସୁଛି ତ୍ରିପୁରା ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ନିର୍ବାଚନରେ ପ୍ରତିଦ୍ବନ୍ଦି କରୁଥିବା ଦଳ ପାର୍ଥୀ ଘୋଷଣା କରୁଛନ୍ତି। ପ୍ରଥମେ ବିଜେପି , କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ରବିବାର ତୃଣମୂଳ କଂଗ୍ରେସ ପାର୍ଥୀ ତାଲିକା ଜାରି କରିଛି । ୨୨ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ଟିଏମସି ।ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ଟିଏମସି । ପାର୍ଟି ତରଫରୁ ପାର୍ଥୀ ତାଲିକା ଜାରି କରାଯିବା ପରେ ଏହି ନିର୍ବାଚନର ମୂଳ ଉଦ୍ଦେଶ୍ୟ ହେଉଛି ବିଜେପିକୁ ପରାସ୍ତ କରିବା ବୋଲି କୁହାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ତ୍ରିପୁରା ମୁଖ୍ୟ ପୀୟୁଷ କାନ୍ତି ବିଶ୍ୱ, ସାଂସଦ ସୁସ୍ମିତା ଦେବ, ରାଜୀବ ବାନାର୍ଜୀ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ । ଦଳ ପକ୍ଷରୁ ଟ୍ବିଟ କରି ପାର୍ଥୀ ତାଲିକା ଜାରି କରାଯାଇ କୁହାଯାଇଥିଲା ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବରେ ଟିଏମସି ଆଗାମୀ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପାର୍ଥୀ ତାଲିକା ଜାରି କରିଛି ।
ଜାନୁଆରୀ ୧୮ ତାରିଖରେ ଉତ୍ତର-ପୂର୍ବ ୩ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ୧୬ ଫେବୃଆରୀରେ ହେବା ନେଇ ଘୋଷଣା କରାଯାଇଥିଲା । ଏଥିପାଇଁ ୨୧ ଜାନୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆସନ୍ତା ଜାନୁଆରୀ ୩୦ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ଜାନୁଆରୀ ୩୧ରେ ନାମାଙ୍କାନ ଯାଞ୍ଚ ହେବ । ଫେବୃଆରୀ ୨ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାରିବେ ପ୍ରାର୍ଥୀ । ତେବେ ନିର୍ବାଚନ ତାରିଖ ଘୋଷଣା ପରେ ତ୍ରିପୁରା ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ବାଧିନ ତୃଣମୂଳ କଂଗ୍ରେସ ଏକାକୀ ଲଢିବା ନେଇ ଦଳର ତ୍ରିପୁରା ପର୍ଯ୍ୟବେକ୍ଷକ ରାଜୀବ ବାନାର୍ଜୀ ସୂଚନା ଦେଇଥିଲେ ।
ଦଳ ରାଜ୍ୟର ସମସ୍ତ ୬୦ ଆସନରେ ଦଳୀୟ ପ୍ରାର୍ଥୀ ଦେବ ବୋଲି କୁହାଯାଇଥିଲା । ତ୍ରିପୁରାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦଳର ରାଷ୍ଟ୍ରୀୟ ମହାସଚିବ ଅଭିଷେକ ବାନାର୍ଜୀଙ୍କ ସମେତ ଦଳର ବରିଷ୍ଠ ନେତା ପ୍ରଚାର କରିବେ ବୋଲି କୁହାଯାଇଥିଲା ।ନିକଟରେ ବିଜେପି ୪୮ଟି ଆସନରେ ଲଢେଇ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ ୧୨ଟି ଆସନରେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି ପାର୍ଟି ତରଫରୁ କୁହାଯାଇଥିଲା । ସେହିପରି ନିର୍ବାଚନ ସମୟରେ ପ୍ରଚାର ପାଇଁ ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ଜାରି କରାଯାଇଥିଲା । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ବିଜେପିର ବହୁ ଟାଣୁଆ ନେତା ମନ୍ତ୍ରୀଙ୍କ ନାମ ରହିଛି ।