ଦେବଗଡ଼ ମୁଖ୍ୟ ବଜାର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ପୁଲିସ ଓ ପୌର ପ୍ରଶାସନର ଦାବୀ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ଦେବଗଡ଼ ପୌରାଞ୍ଚଳରେ ସଂକୀର୍ଣ୍ଣ ରାସ୍ତା ଯାନବାହାନ ଚଳାଚଳରେ ଅନେକ ସମୟରେ ସମସ୍ୟା ସୃଷ୍ଟି କରୁଥିବାବେଳେ ମୁଖ୍ୟ ବଜାରରେ ଏହି ସମସ୍ୟା ଅଧିକ ଜଟିଳ ହେଉଛି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପୌରାଞ୍ଚଳବାସୀ ନିଜର ଦୈନନ୍ଦିନ ବ୍ୟବହାର ସାମଗ୍ରୀ କିଣିବା ପାଇଁ ବଜାରକୁ ଆସୁଥିବାବେଳେ ବିଶେଷ ଭାବେ ୨ ଚକିଆ ଯାନକୁ ରଖିବା ନେଇ ନାନା ସମସ୍ୟାରେ ପଡୁଥିବା ଦେଖିବାକୁ ମିଳିଛି । ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘ ବର୍ଷ ପୂର୍ବେ ତତ୍କାଳୀନ ଏସପି ମୁଖ୍ୟ ବଜାର ରାସ୍ତା ମଝିରେ ୨ ଚକିଆ ଯାନ ରଖିବା ପ୍ରସ୍ତାବକୁ କାର୍ଯକାରୀ କରିଥିଲେ । ଫଳରେ ଜନସଧାରଣଙ୍କ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇଥିଲା । ତେବେ ମୁଖ୍ୟ ବଜାର ଛକରେ ୨ ଚକିଆ ଯାନ ପାଇଁ ନିର୍ଦ୍ଧାରିତ ସ୍ଥାନରେ କିଛି ଦିନରୁ ଏକ ଉଠା ଫଳ ଦୋକାନୀ ପସରା ମେଲାଇ ଦୋକାନ ଖୋଲିଥିବାରୁ ବିଶେଷ ଭାବେ ସକାଳେ ଓ ସନ୍ଧ୍ୟାରେ ଗହଳି ସମୟରେ ଜନସଧାରଣ ୨ ଚକିଆ ଯାନ ରଖିବାକୁ ନାହିଁନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୌର ପରିଷଦ ବଜାର ଠିକା ନେଇଥିବା ଠିକାଦାର ପ୍ରତିଦିନ ଟ୍ୟାକ୍ସ ଅସୁଲ କରୁଥିବାବେଳେ ବେଆଇନ ଭାବେ ପାର୍କିଂ ସ୍ଥାନରେ ଖୋଲିଥିବା ଦୋକାନ ଯୋଗୁ ଜନସାଧାରଣଙ୍କ ସମସ୍ୟାକୁ ଅଣଦେଖା କରିଥିବା ନେଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଆଦର୍ଶ ଥାନା ପୁଲିସ ପକ୍ଷରୁ ଆମ ପୁଲିସ ସମିତି ବୈଠକରେ ସହରର ଟ୍ରାଫିକ ବ୍ୟବସ୍ଥା ଉପରେ ଆଲୋଚନା ହେଉଥିଲେ ମଧ୍ୟ ମୁଖ୍ୟ ବଜାରରେ ପାର୍କିଂ ସମସ୍ୟାର କାରଣ ଆଦର୍ଶ ଥାନା ପୁଲିସକୁ ଦେଖା ଯାଉନଥିବା ବହୁ ବରିଷ୍ଠ ନାଗରିକ ଅଭିଯୋଗ କରିଛନ୍ତି । ଏଣୁ ପୌର ପ୍ରଶାସନ ଓ ପୁଲିସ ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ବହୁ ଜନସାଧାରଣ ଦାବୀ କରିଛନ୍ତି ।