ଜିଲ୍ଲା କଂଗ୍ରେସ ପକ୍ଷରୁ ଟିପିଡବ୍ଲ୍ୟୁଓଡିଏଲ ଅଫିସ ଘେରାଉ ଓ ଗଣ ବିକ୍ଷୋଭ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ମାତ୍ରାଧିକ ବଦ୍ୟୁତ ବିଲ, ଜୋରିମାନା ଓ ବିଜୁଳି ସେବା ଯୋଗାଇବାରେ ବିଫଳତାକୁ ନେଇ ଦେବଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଟିପିଡବ୍ଲ୍ୟୁଓଡିଏଲ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲା କଂଗ୍ରେସ ସଭାପତି ସେମ ସେମହେମ୍ରାମଙ୍କ ନେତୃତ୍ୱରେ ଗୋପାଳ ଜୀଉ ମନ୍ଦିର ପ୍ରାଙ୍ଗଣରୁ ବିଭିନ୍ନ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ଟାଟା ପାୱାର ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବାସହ ହାତରେ ପ୍ଲାକାର୍ଡ ଧରି ନଗର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ପରେ ପୁଣି ଶୋଭାଯାତ୍ରା ଟିପିଡବ୍ଲ୍ୟୁଓଡିଏଲ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାର ଗ୍ରାମାଞ୍ଚଳରେ ବିଦ୍ୟୁତ ବିତରଣ କମ୍ପାନୀ ପକ୍ଷରୁ ଦିଆଯାଉଥିବା ଅତ୍ୟଧିକ ବିଲକୁ ପ୍ରତିବାଦ କରିଥିଲେ । ଏହାସହ ବିଭିନ୍ନ ଗ୍ରାମରେ ଟ୍ରାନ୍ସଫର୍ମର ଅଚଳ ଯେ।।ଗୁ ଗାଁ ସବୁ ବର୍ଷ ବର୍ଷ ଧରି ଅନ୍ଧାରରେ ଥିବା ଅଭିଯୋଗ କରି ବିଦ୍ୟୁତ ସେବାରୁ ବଞ୍ଚିତ ଗ୍ରାମ ଗୁଡ଼ିକରେ ତୁରନ୍ତ ବିଦ୍ୟୁତ ସେବା ଯୋଗାଇବାକୁ ଦାବୀ କରିବା ସହ ଟିପିଡବ୍ଲ୍ୟୁଓଡିଏଲ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୁ ସାହାଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଲଗାଯାଇଥିବା ଜୋରିମାନା ପ୍ରତ୍ୟାହାର ସହ ତ୍ରୁଟିପୂର୍ଣ୍ଣ ବିଲର ତୁରନ୍ତ ସମାଧାନ ଦାବୀ କରିଥିଲେ । ସେହିପରି ଯଦି ଆଗାମୀ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହୁଏ ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଜିଲ୍ଲା ଉପସଭାପତି ସୁବାଷ ଚନ୍ଦ୍ର ଭୋଇ ଓ ମଞ୍ଜୁଳ ନାୟକଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।