ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ବୁଲିପାରିବେ ପର୍ଯ୍ୟଟକ

କେନ୍ଦ୍ରାପଡା,ଏନ୍ଏନ୍ଏସ୍: ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନେ ବୁଲାବୁଲି କରିପାରିବେ। କୋଭିଡ ଭୂତାଣୁ ସଂକ୍ରମଣ ପରଠାରୁ ଜାତୀୟ ଉଦ୍ୟାନମାନଙ୍କରେ ଥିବା ପଶୁ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ବନ୍ଦ ରହିଥିବା। ଦୀର୍ଘ ୬ ମାସ ପରେ କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାରୁ ପୁଣି ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କୁ ବୁଲିବା ପାଇଁ ଅନୁମତି ମିଳିଛି। ଏଥିସହିତ ଏହି ସମୟରେ କୋଭିଡ କଟକଣାକୁ ପାଳନ କରିବା ପାଇଁ କୁହାଯାଇଛି।

ଦୈନିକ ୫୦୦ ପର୍ଯ୍ୟଟକ ଭିତରକନିକା ଭ୍ରମଣ କରିପାରିବେ। ବୁଲିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସ୍କ୍ରିନିଂ କରିବା ସମୟରେ ଯଦି କାହାଠାରେ ଜ୍ୱର କିମ୍ବା ଥଣ୍ଡା ଭଳି ଲକ୍ଷଣ ଦେଖାଯାଏ ତାକୁ ପ୍ରବେଶ ଅନୁମତି ମିଳିବନି। ପୂର୍ବରୁ କେବଳ ରାତ୍ରିଯାପନ କରିବା ପାଇଁ ଥିବା ପର୍ଯ୍ୟଟକଙ୍କୁ ଅନୁମତି ମିଳିଥିଲା। ଚାରୋଟି ପ୍ରବେଶ ପଥ ଗୁପ୍ତି, ଖୋଳା, ଡାଙ୍ଗମାଳ, ଚାନ୍ଦବାଲି ଦେଇ ପର୍ଯ୍ୟଟକ ଭିତରକନିକା ବୁଲିବାକୁ ଯାଇପାରିବେ।