ଫୋର୍ବସ୍ ଟପ୍ ୧୦୦ ପ୍ରଭାବଶାଳୀ ମହିଳା: ନିର୍ମଳା ସୀତାରମଣ ଭାରତର ସବୁଠୁ ପ୍ରଭାବଶାଳୀ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱର ଚର୍ଚ୍ଚିତ ପତ୍ରିକା ଫୋର୍ବସ, ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ମହିଳା ତାଲିକାରେ ସାମିଲ୍ କରିଛି। ନିର୍ମଳା ସୀତାରମଣ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଏହି ତାଲିକାରେ ସାମିଲ୍ ହୋଇଛନ୍ତି। ସେ ମଧ୍ୟ ଦେଶର ସର୍ବଶ୍ରେଷ୍ଠ ପ୍ରଭାବଶାଳୀ ମହିଳା ହେବାର ଗୌରବ ହାସଲ କରିଛନ୍ତି। ତାଲିକାର ସର୍ବଶ୍ରେଷ୍ଠ ୧୦୦ଜଣଙ୍କ ମଧ୍ୟରେ ସୀତାରମଣ ୩୭ତମ ସ୍ଥାନରେ ରହିଛନ୍ତି। ଏଚ୍‌ସିଲ୍‌ର ରୋଶନୀ ନାଡାର୍ ୫୨ତମ, ଭାଓକନ୍‌ର କିରଣ ମଜୁମ୍‌ଦାର ଶ’ ୭୨ତମ ଓ ନିକଟରେ ଚର୍ଚ୍ଚିତ ନାୟକାର ସିଇଓ ଫାଲ୍‌ଗୁନୀ ନାୟର ଏହି ତାଲିକାରେ ପ୍ରଥମଥର ପାଇଁ ସାମିଲ୍ ହୋଇ ୮୮ତମ ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ସ୍ଥାନରେ ସୁଧାର ଆଣିବା ସହିତ ଆମେରିକାର ଅର୍ଥମନ୍ତ୍ରୀ ଜୈନେଟ୍ ୟେଲେନ୍‌ଙ୍କ ପଛରେ ପକାଇଛନ୍ତି। ଅପରପକ୍ଷରେ ବିଶ୍ୱର ସର୍ବଶ୍ରେଷ୍ଠ ପ୍ରଭାବଶାଳୀ ମହିଳା ଭାବେ ବିଶ୍ୱର ଦ୍ୱିତୀୟ ସର୍ବଶ୍ରେଷ୍ଠ ଧନୀ ତଥା ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍ ବେଜୋସ୍‌ଙ୍କ ପୂର୍ବ ପତ୍ନୀ ମୈକୈଜୀ ସ୍କଟ୍ ସ୍ଥାନ ପାଇଛନ୍ତି। ଦ୍ୱିତୀୟରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ରହିଛନ୍ତି। ଫୋର୍ବସ୍ ଦ୍ୱାରା ପ୍ରକାଶିତ ଚଳିତ ବର୍ଷ ସୂଚୀରେ ୪୦ଜଣ ମହିଳା ସିଇଓ ସାମିଲ୍ ଅଛନ୍ତି। ଏହାବ୍ୟତୀତ ବିଶ୍ୱର ୧୯ ମହିଳା ରାଜନେତା ମଧ୍ୟ ଏହି ସୂଚୀରେ ସାମିଲ୍ ଅଛନ୍ତି।